ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ
odisha vidhansabha

ଭୁବନେଶ୍ୱର : ରାଜ୍ୟପାଳ ରଘୁବର ଦାସ ଓଡ଼ିଶା ବିଧାନସଭା ଭଙ୍ଗ କରିଛନ୍ତି । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ରାଜ୍ୟ କ୍ୟାବିନେଟ ବୈଠକରେ ବିଧାନସଭା ଭଙ୍ଗ ନେଇ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଥିଲା ।
ସମ୍ବିଧାନର ଧାରା ୧୭୪ର ଖଣ୍ଡ ୨(ଖ) ଅନୁଯାୟୀ ରାଜ୍ୟପାଳ ନିଜ କ୍ଷମତା ପ୍ରୟୋଗ କରି ବିଧାନସଭାକୁ ଭଙ୍ଗ କରିଛନ୍ତି । ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ, ୨୦୧୯ ମେ’ ୨୫ରେ ଓଡ଼ିଶା ବିଧାନସଭା ଗଠିତ ହୋଇଥିଲା । ନୂତନ ବିଧାନସଭା ଗଠନ ନେଇ ନିର୍ବାଚନ କମିଶନଙ୍କ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ବିଧାନସଭାକୁ ଭଙ୍ଗ କରାଗଲା ବୋଲି ରାଜ୍ୟପାଳ ନିଜ ପତ୍ରରେ ଉଲ୍ଳେଖ କରିଛନ୍ତି ।
ଅପରପକ୍ଷରେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟ କ୍ୟାବିନେଟ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ସାମ୍ବିଧାନିକ ବିଧିବ୍ୟବସ୍ଥା ଆଧାରରେ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ ହୋଇଥିଲା ।
ଆସନ୍ତାକାଲି ଅର୍ଥାତ୍ ଜୁନ୍ ୪ରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଯଦି ବିଜୁ ଜନତା ଦଳ ସରକାର ଗଢେ଼ ତେବେ ନବୀନ ଦେଶରେ ଆଉ ଏକ ରେକଡର଼୍ ସୃଷ୍ଟିକରିବେ । ଲଗାତର ଷଷ୍ଠ ଥର ପାଇଁ ସେ ସରକାର ଗଢ଼ିବେ । ଜୁନ୍ ୯ରେ ନବୀନ ଶପଥ ନେବେ ବୋଲି ପୂର୍ବରୁ ବିଜେଡ଼ି ତାରିଖ ବି ଘୋଷଣା କରିସାରିଛି । ଅପରପକ୍ଷରେ ବିଜେପି ମଧ୍ୟ ବିଜୟ ନେଇ ଆଶାବାଦୀ ଅଛନ୍ତି । ତେବେ ଓଡ଼ିଶାବାସୀ କାହା ମୁଣ୍ଡରେ ପଗଡ଼ି ବାନ୍ଧିଛନ୍ତି ତାହା ଆସନ୍ତାକାଲି ଜଣାପଡ଼ିବ ।