"ସଞ୍ଚାର ସାଥୀ' ବାଧ୍ୟତାମୂଳକ ପ୍ରି-ଇନଷ୍ଟଲେସନ ପ୍ରତ୍ୟାହାର
ନୂଆଦିଲ୍ଲୀ : ସବୁ ନାଗରିକଙ୍କୁ ସାଇବର ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ସରକାର ସମସ୍ତ ସ୍ମାର୍ଟଫୋନରେ ସଞ୍ଚାର ସାଥୀ ଆପ୍ ପ୍ରି-ଇନଷ୍ଟଲେସନ୍ ବାଧ୍ୟତାମୂଳକ କରିଥିଲେ । ଏହି ଆପ୍ ସୁରକ୍ଷିତ ଏବଂ ସାଇବର ଅପରାଧୀଙ୍କ କବଳରୁ ନାଗରିକମାନଙ୍କୁ ସାହାଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ଉଦ୍ଦିଷ୍ଟ ଥିଲା । ବର୍ତ୍ତମାନ ପ୍ରି-ଇନଷ୍ଟଲେସନ ବାଧ୍ୟତାମୂଳକ ନିୟମକୁ ସରକାର ପ୍ରତ୍ୟାହାର କରିଛନ୍ତି । ଏହି ଆପ୍ ସବୁ ନାଗରିକଙ୍କୁ ଏପରି ଅପରାଧୀ ଏବଂ ଅପରାଧିକ କାର୍ଯ୍ୟ ସମ୍ପର୍କରେ ଅଭିଯୋଗ କରିବାରେ ‘ଜନ ଭାଗିଦାରୀ’ରେ ସାହାଯ୍ୟ କରିଥାଏ ଏବଂ ବ୍ୟବହାରକାରୀମାନଙ୍କୁ ସୁରକ୍ଷା ଦେଇଥାଏ । ଏହି ଆପ୍ରେ ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ନାହିଁ ଏବଂ ସେମାନେ ଯେତେବେଳେ ଚାହିଁବେ ଆପ୍କୁ ହଟାଇ ପାରିବେ ।
ଏହା ସରକାରଙ୍କ ଦ୍ୱାରା ସ୍ପଷ୍ଟ କରାଯାଇଛି । ଏପର୍ଯ୍ୟନ୍ତ ୧.୪ କୋଟି ଉପଭୋକ୍ତା ଏହି ଆପ୍ ଡାଉନଲୋଡ୍ କରିସାରିଛନ୍ତି ଏବଂ ପ୍ରତିଦିନ ୨ ହଜାର ଠକେଇ ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରୁଛନ୍ତି । ଉପଭୋକ୍ତାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ କମ୍ ସଚେତନ ନାଗରିକଙ୍କ ପାଇଁ ଆପ୍ ସହଜରେ ଉପଲବ୍ଧ କରାଇବା ପାଇଁ ଏହି ଆପ୍ କାର୍ଯ୍ୟକ୍ଷମ କରିବାର ନିର୍ଦ୍ଦେଶ ଦିଆଯାଇଥିଲା । ଗତ ଗୋଟିଏ ଦିନରେ ୬ ଲକ୍ଷ ନାଗରିକ ଏହି ଆପ୍ ଡାଉନଲୋଡ୍ କରିବା ପାଇଁ ପଞ୍ଜିକରଣ କରିଛନ୍ତି ଯାହାକି ଏହାର ଗ୍ରହଣୀୟତାରେ ୧୦ ଗୁଣା ବୃଦ୍ଧି । ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ଆପ୍ ଜରିଆରେ ନିଜକୁ ସୁରକ୍ଷିତ ରଖିବା ଲାଗି ନାଗରିକଙ୍କ ଭରସାର ଏହା ପ୍ରମାଣ ଦେଇଥାଏ । ସଞ୍ଚାର ସାଥୀର ବର୍ଦ୍ଧିତ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି ସରକାର ମୋବାଇଲ୍ ନିର୍ମାତାଙ୍କ ପାଇଁ ପ୍ରି-ଇନଷ୍ଟଲେସନକୁ ବାଧ୍ୟତାମୂଳକ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।