ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,:ସଂସଦର ମିଳିତ ଅଧିବେଶନକୁ ଗୁରୁବାର ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକ ସଭା ଏବଂ ୨୬୪ ତମ ରାଜ୍ୟ ସଭାର ମିଳିତ ଅଧିବେଶନରେ ଉଦବୋଧନ ରଖିବେ ରାଷ୍ଟ୍ରପତି। ନିଜର ଉଦବୋଧନ ବେଳେ ନୂଆ ସରକାରର ନୀତି, ଯୋଜନା ଏବଂ ଆଗାମୀ ରୋଡ ମ୍ୟାପ ସମ୍ପର୍କରେ ସେ ସୂଚନା ଦେଇପାରନ୍ତି।

ଅଷ୍ଟାଦଶ ଲୋକ ସଭାର ପ୍ରଥମ ଅଧିବେଶନକୁ ସମ୍ବୋଧନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଭବନରୁ ଅଶ୍ୱବାହିନୀଙ୍କ ସୁରକ୍ଷା ବଳୟ ମଧ୍ୟରେ ସଂସଦକୁ ଆସିବେ । ନୂଆ ସଂସଦ ଭବନର ଗଜ ଦ୍ୱାର ଦେଇ ରାଷ୍ଟ୍ରପତି ପ୍ରବେଶ କରିବେ। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉଭୟ ଗୃହର ପ୍ରିଜାଇଡିଂ ଅଫିସର ସ୍ବାଗତ କରିବେ। ଦୁଇ ଦିନ ହେବ ଲୋକସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇସାରିଥିବାବେଳେ ଆଜିଠୁ ଆରମ୍ଭ ହେବ ରାଜ୍ୟ ସଭାର ଗୃହ କାର୍ଯ୍ୟ।