ସଡକ ସୁରକ୍ଷା ମାସ ଉଦ୍ୟାପିତ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପରିବହନ କାର୍ଯ୍ୟଳୟ ଠାରେ ଜାତୀୟ ସଡକ ସୁରକ୍ଷା ସଚେତନତା ମାସର ଉଦ୍ୟାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ) ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଟକୃଷ୍ଣ ମିଶ୍ର ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଆର୍ଟିଓ ଜିତେନ୍ଦ୍ର ଭୋଇ ସଭାର ଅଧ୍ୟକ୍ଷତା କରି ପରିବହନ ବିଭାଗ ଦ୍ୱାରା ଜିଲ୍ଲାରେ ମାସ ବ୍ୟାପୀ ସଡ଼କ ସୁରକ୍ଷା ସଚେତନତା ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ବିଶେଷ ସୂଚନା ଦେଇଥିଲେ । ଅତିଥିଗଣ ନିଜ ନିଜ ବକ୍ତବ୍ୟରେ ଦ୍ରୁତଗତି, ମଦ୍ୟ ଓ ନିଶା ପାନ ସହ ଗାଡ଼ି ଚାଳନା, ଅଳ୍ପ ବୟସ୍କଙ୍କ ଗାଡ଼ି ଚାଳନା, ବିନା ହେଲମେଟ ଓ ସିଟ୍ ବେଲଟ୍ରେ ଗାଡ଼ି ଚାଳନା, ବିନା ଲାଇସେନ୍ସରେ ଓ ମୋବାଇଲ୍ ବ୍ୟବହାର କରି ଗାଡ଼ି ଚାଳନା ଉପରେ ଦୃଢ କାର୍ଯ୍ୟାନୁଷ୍ଠନ, ସଡ଼କ ସୁରକ୍ଷା ନିୟମ ପାଳନ, ସ୍କୁଲ୍ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା, ଦୁର୍ଘଟନା ପୀଡିତ ବ୍ୟକ୍ତିଙ୍କୁ ଉଦ୍ଧାର, ଚକ୍ଷୁ ପରୀକ୍ଷା ଆଦି ଉପରେ ବିଶେଷ ମତ ରଖିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମାଝୀ ଜିଲ୍ଲାର ୨୧ଜଣ ଉତ୍ତମ ସହାୟକ ବ୍ୟକ୍ତିଙ୍କୁ ମାନପତ୍ର ଓ ପୁରସ୍କାର ରାଶି ୨୦୦୦ ଟଙ୍କାର ଚେକ୍ ବିତରଣ କରିଥିଲେ । ଏଥିସହିତ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଧାୟକ ନିଜେ ଦୁର୍ଘଟଣା ପୀଡିତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡିରେ ଡ଼ାକ୍ତରଖାନାରେ ପହଞ୍ଚାଇ ଥିବାରୁ ଉତ୍ତମ ସହାୟକ ବ୍ୟକ୍ତି ରୂପେ ମାନପତ୍ର ସହ ଚେକ୍ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକଙ୍କ ଠାରୁ ଗ୍ରହଣ କରିଥିଲେ । ଏହି ଅବସରରେ ସ୍ଲୋଗାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆର୍ସିଡି ସ୍କୁଲ୍ର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ଡ୍ରାଇଭର ସଂଘର ପ୍ରତିନିଧି, ଲଘୁ ଓ ଭାରିଯାନ ଗାଡ଼ି ଚାଲକ, ଗଣମାଧ୍ୟମ ପ୍ରତିନିଧି, ସହରର ବୁଦ୍ଧିଜୀବୀ, ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ପରିଶେଷରେ ଆର୍ଟିଓ ଜିତେନ୍ଦ୍ର ଭୋଇ ନବରଙ୍ଗପୁର ଜିଲ୍ଲାକୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଶେଷରେ ଡିଆଇପିଆର୍ଓ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।