ମନମୋହନ ସିଂଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

 ନବରଙ୍ଗପୁର: ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ବିୟୋଗରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କାର୍ଯ୍ୟକାରୀ ସଭାପତି ଭୁଜବଳ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଲୋକପ୍ରିୟ ନେତା ମନମୋହନ ସିଂଙ୍କ ତୈଳଚିତ୍ରରେ ଧୂପ, ଦୀପ ଓ ପୁଷ୍ପମାଲ୍ୟ ଦେଇ ତାଙ୍କ ପବିତ୍ର ଆତ୍ମାର ସଦ୍ଗତି କାମନା ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉପସ୍ଥିତ ଥିବା କଂଗ୍ରେସ ପଦାଧିକାରୀ ଗଣ ସ୍ୱର୍ଗତ ମନମୋହନ ସିଂଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ୧୯୮୨-୧୯୮୫ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଭାବେ ଦାୟିତ୍ୱ ବହନ କରିଥିବାବେଳେ ୧୯୯୧ ମସିହା ଠାରୁ ୧୯୯୬ ପର୍ଯ୍ୟନ୍ତ ଭାରତର ଅର୍ଥମନ୍ତ୍ରୀ ଭାବେ ରହିଥିଲେ । ସେହି ସମୟରେ ଦେଶ ଅର୍ଥନୀତି କ୍ଷେତ୍ରରେ ବହୁ ସମସ୍ୟା ଦେଇ ଗତି କରୁଥିବା ବେଳେ ସେ ତାଙ୍କ ବିଚକ୍ଷଣ ଅର୍ଥନୈତିକ କୌଶଳ ପ୍ରୟୋଗ କରି ଦେଶର ସ୍ଥିତିକୁ ଏକ ଉଚିତ୍ ମାର୍ଗଦର୍ଶନ ଦେଇଥିଲେ । ସେ ଏକାଧାରରେ ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ରହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ଅନ୍ୟ ପଦାଧିକାରୀମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସଦନ ନାୟକ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ବରିଷ୍ଠ ନେତା ବୃନ୍ଦାବନ ତ୍ରିପାଠୀ, ଅନାମ ଦିଆନ, ଲିପିକା ମାଝୀ, ଦିଲ୍ଲୀପ ପ୍ରଧାନି, ପ୍ରଦୀପ ସାହୁ, ପ୍ରହଲ୍ଲାଦ ହିଆଲ୍, ଶ୍ରୀକାନ୍ତ ମିଶ୍ର, ଜି ସାଇରାଜୁ, ପ୍ରକାଶ ସାମନ୍ତରାୟ, ନବଜୀବନ ମନ୍ଦାର, ପବିତ୍ର ଗରଡା, ଶିବରାମ ରାଜୁ, ଅବଦୁଲ ଫିରୋଜ, ତୁଫାନ୍ ଷଡ଼ଙ୍ଗୀ, ବଂଶି ମାଝୀ, ଗୋପାଳ ତ୍ରିପାଠୀ, ଠାକୁର, ନନ୍ଦ ବିଶୋଇ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ଅନୁରୂପ ଭାବେ ଶାସ୍ତ୍ରୀ ଭବନ ଠାରେ ମଧ୍ୟ ଏକ ସର୍ବ ଦଳୀୟ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ପୂର୍ବତନ ରାଜ୍ୟସଭା ଦଦ୍ୟସ ଭଗବାନ ମାଝୀ, ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ, କାଦମ୍ବିନୀ ତ୍ରିପାଠୀ, ସରୋଜ ପାତ୍ର, ବରିଷ୍ଠ ସାହିତି୍ୟକ ନାରାୟଣ ପଣ୍ଡା, ଯୁବ ଆଡଭୋକେଟ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।