ପୌରପାଳିକାରେ ନାହାଁନ୍ତି ସ୍ଥାୟୀ ସ୍ୱାସ୍ଥ୍ୟ ଅଧିକାରୀ: ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ଜିଲ୍ଲା ଚିକିତ୍ସାଳୟ ଡାକ୍ତର
ନବରଙ୍ଗପୁର : ବର୍ଷେ କି ଦୁଇ ବର୍ଷ ନୁହେଁ, ୧୨ ବର୍ଷ ହେଲା ନବରଙ୍ଗପୁର ପୌରପାଳିକାରେ ନାହାନ୍ତି ନିୟମିତ ସ୍ୱାସ୍ଥ୍ୟ ଅଧିକାରୀ । ପୌରପାଳିକାରେ ୧୭ଟି ୱାର୍ଡ, ୨୮ଟି ବସ୍ତି ଓ ୮୦ରୁ ଊର୍ଦ୍ଧ୍ୱ ଗଳି ରହିଛି । ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ନୂଆ ନୂଆ କଲୋନୀ ଓ ନୂଆ ଘର ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । ଏହା ସାଙ୍ଗକୁ ଶହ ଶହ ଉଠାଦୋକାନ, ହୋଟେଲ, ଜଳଖିଆ ଦୋକାନ, ମାଛ, ଛେଳି ଓ କୁକୁଡା ମାଂସର ଦୋକାନ ସଂଖ୍ୟାରେ ବି ବୃଦ୍ଧି ହୋଇଛି । ଏତେ ବଡ଼ ସହରର ପରିମଳ, ପରିଚ୍ଛନ୍ନତା, ସଫେଇ, ୱେରେଜ ବ୍ୟବସ୍ଥା ସହ ଦୋକାନ, ହୋଟେଲ, ଆମିଷ ବଜାର ଯାଞ୍ଚ ଓ ତଦାରଖ ଦାୟିତ୍ୱ ପୌର ସ୍ୱାସ୍ଥ୍ୟ ଅଧିକାରୀଙ୍କର ସ୍ଥାୟୀ ସ୍ୱାସ୍ଥ୍ୟ ଅଧିକାରୀ ନ ଥିବାରୁ ସବୁ କିଛିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ପୌର ନିର୍ବାହୀ ଅଧିକାରୀ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ୨୦୧୩ ପର ଠାରୁ ନିୟମିତ ପୌର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସରକାର ନିଯୁକ୍ତି ଦେଇ ନାହାନ୍ତି । ଜିଲ୍ଲା ମୁଖ୍ୟ ଚିକିସôାଳୟରେ କାର୍ଯ୍ୟରତ ଡାକ୍ତରଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇ କାମ ଚଳାଯାଉଛି । ଫଳରେ ସହରର ବିଭିନ୍ନ ଛକ ଓ ବଜାରରେ ମନଇଛା ଆମିଷ ଦୋକାନ ଓ ଜଳଖିଆ ଦୋକାନ ଖୋଲିଛି ।
ଏଥିରେ ବିକ୍ରି କରାଯାଉଥିବା ଖାଦ୍ୟର ଯାଞ୍ଚ ନିୟମିତ ଭାବରେ ହୋଇପାରୁନି । ନାଳ ପାର୍ଶ୍ୱରେ ଓ ନାଳକୁ ଲାଗି ଆମିଷ ସହ ଜଳଖିଆ ଦୋକାନ ରହିଛି । ପରିମଳ, ପରିଚ୍ଛନ୍ନତାକୁ ଉଠାଦୋକାନୀ ଗୁରୁତ୍ୱ ଦେଉନାହାନ୍ତି । ଗତ କିଛି ଦିନ ତଳେ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଖାଦ୍ୟ ସୁରକ୍ଷା ଅଧିକାରୀ କିଛି ବଡ଼ ହୋଟେଲକୁ ଯାଞ୍ଚ କରି ଗୋଟିଏ ହୋଟେଲକୁ ସିଲ୍ କରି ବାକି ହୋଟେଲକୁ ଛାଡ଼ି ଦେଇଛନ୍ତି । ଉଠା ଦୋକାନର ଯାଞ୍ଚ ତାଙ୍କ ଦାୟିତ୍ୱ ନାହିଁ ବୋଲି କହିଛନ୍ତି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ । ଅପରପକ୍ଷରେ ନାଳ ଉପରେ, ପାର୍ଶ୍ୱ ଏବଂ ରାସ୍ତା କଡ଼ରେ ଆମିଷ ଦୋକାନରେ ନାଳର ମଶା, ମାଛି ସବୁ ଆସି ବସୁଛନ୍ତି । ଯାନବାହାନ ଯାତାୟାତ ସମୟରେ ଧୂଳି ଉଡ଼ି ଏ ସବୁ ଉପରେ ପଡୁଛି । ସହରର ପରିମଳ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା ପାଇଁ ବେସରକାରୀ ସଂସ୍ଥାକୁ ସଫେଇ ଦାୟିତ୍ୱ ଦିଆଯାଇଛି । ତେବେ ଉକ୍ତ ସଂସ୍ଥାର କାମର ତଦାରଖ ଦାୟିତ୍ୱ ବି ପୌର ସ୍ୱାସ୍ଥ୍ୟ ଅଧିକାରୀଙ୍କର ଏହି ଦୃଷ୍ଟିକୋଣରୁ ନିୟମିତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଦାବି ହୋଇଛି ।