ସର୍ବଭାରତୀୟ ପୁଲିସ ଜଳକ୍ରୀଡ଼ା ଚାମ୍ପିଅନସିପ : ଓଡ଼ିଶା ପୁଲିସକୁ ୫ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୪ କାଂସ୍ୟ

କଟକ:  ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହୋଇଥିବା ୨୪ତମ ସର୍ବଭାରତୀୟ ପୁଲିସ ଜଳକ୍ରୀଡ଼ା ଚାମ୍ପିଆନସିପରେ ଓଡ଼ିଶା ପୁଲିସକୁ ପ୍ରତିନିଧିତ୍ୱ କରୁଥିବା ପ୍ରତିଯୋଗୀମାନେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ଗତ ଫେବୃଆରୀ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଭୋପାଳଠାରେ ଅନୁଷ୍ଠିତ ହୋଇଥିବା ଏହି ଚାମ୍ପିଆନସିପରେ ଓଡ଼ିଶା ପୁଲିସ ୱାଟରସ୍ପୋର୍ଟସ ଦଳ ବିଭିନ୍ନ ପ୍ରତିଯୋଗିତାରେ ୫ଟି ସ୍ୱର୍ଣ୍ଣ, ୧ ରୋପ୍ୟ ଓ ୪ କାଂଶ୍ୟ ପଦକ ଜିତି ବିରଳ ସଫଳତା ହାସଲ କରିଛନ୍ତି । ରାଜ୍ୟ ପୁଲିସର କ୍ରୀଡ଼ାବିତଙ୍କ ଏହି ବିରଳ ସଫଳତାରେ ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବାହାଦୂର ଖୁରାନିଆ ପଦକ ବିଜେତାମାନଙ୍କୁ ଶୁଭେଚ୍ଚା ଜଣାଇବା ସହ ଖେଳାଳୀଙ୍କ ଅସାଧାରଣ ପ୍ରତିବଦ୍ଧତା ଏବଂ କ୍ରୀଡ଼ା ଉକôର୍ଷତା ପାଇଁ ଭୁରିଭୁରି ପ୍ରଶଂସା କରିଛନ୍ତି । ଏହି ବିଜୟ ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ଜଳକ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲି ଖୁଣ୍ଟ ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଡିଜିପି ଆଶା ବ୍ୟକ୍ତ କରିଛନ୍ତି । 
ରୋଇଂ ମହିଳା ବିଭାଗ ୨୦୦ମିଟର ଦଳଗତ ପ୍ରତିଯୋଗିତାରେ ରିତୁ କଉଡ଼ି, ରିଚେଲ ଲାର୍କା, ସୋନାଲିକା ଦାସ ଓ ରେସମ ଲାର୍କା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ରୋଇଂ ମହିଳା ବିଭାଗ ୫୦୦ ମିଟରରେ ମଧ୍ୟ ଦଳଗତ କାଂସ୍ୟ ପଦକ ବିଜେତା ହୋଇଛନ୍ତି । ଏହାଛଡ଼ା ରୋଇଂ କୋକ୍ସଲେସ ଯୋଡ଼ି ୫୦୦ମିଟର ପ୍ରତିଯୋଗିତାରେ ଦୀପିକା ଖେସ ଓ ଝରଣା ହସ୍ତୀ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ଉଭୟ ରୋଇଂ କୋକ୍ସଲେସ ଯୋଡ଼ି ୨୦୦୦ମିଟରରେ କାଂସ୍ୟପଦକ ହାସଲ କରିଛନ୍ତି । ସେହିପରି କାନୋଇଂସି-୨ ୧୦୦୦ମିଟର ପ୍ରତିଯୋଗିତାରେ ସଚିମା କେରକେଟା ଓ ରସ୍ମିତା ସାହୁ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଉଭୟ କନୋଇଂସି-୨ ୨୦୦ମିଟରରେ ରୋପ୍ୟ ପଦକ ବିଜୟୀ ହୋଇଛନ୍ତି । ଏହାଛଡ଼ା କାନୋଇଂସି-୧ ୨୦୦ମିଟର ଏବଂ ୧୦୦୦ମିଟର ପ୍ରତିଯୋଗିତାରେ ରସ୍ମିତା ସାହୁ ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାଛଡ଼ା କାନୋଇଂ ସି-୧ ୫୦୦ ମିଟରରେ ସଚିମା କେରେକେଟା ଓ ସି-୨ ୫୦୦ ମିଟର ବିଭାଗରେ ରସ୍ମିତା ସାହୁ ଓ ମଧୁସ୍ମିତା ନାୟକ ବ୍ରୋଞ୍ଚ ପଦକ ବିଜୟୀ ହୋଇ ଓଡ଼ିଶା ପୁଲିସ ପାଇଁ ଗୌରବ ଆଣିଛନ୍ତି ।