ବେଙ୍ଗାଲୁରୁ ଦଳାଚକଟା : କେଏସ୍ସିଏ ସମ୍ପାଦକ, କୋଷାଧ୍ୟକ୍ଷଙ୍କ ଇସ୍ତଫା

 ବେଙ୍ଗାଲୁରୁ : ବେଙ୍ଗାଲୁରୁ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଦଳାଚକଟା ଘଟଣାକୁ ନେଇ କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍ (କେଏସ୍ସିଏ)ର ସମ୍ପାଦକ ଏବଂ କୋଷାଧ୍ୟକ୍ଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କେଏସ୍ସିଏ ସମ୍ପାଦକ ଏ ଶଙ୍କର ଏବଂ କୋଷାଧ୍ୟକ୍ଷ ଇଏସ୍ ଜୟରାମ ଦୁହେଁ ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି । କେଏସ୍ସିଏ ଅଧ୍ୟକ୍ଷ ରଘୁରାମ ଭଟ୍ଟଙ୍କୁ ସେମାନେ ସେମାନଙ୍କର ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି । ଗତ ଦୁଇଦିନ ତଳେ ଦୁର୍ଭାଗ୍ୟଜନକ ବିଜୟ ଉତ୍ସବରେ ଯଦିଓ ଆମମାନଙ୍କ ଭୂମିକା ସୀମିତ ଥିଲା, ତଥାପି ମୃତୁ୍ୟ ଘଟଣାକୁ ନେଇ ନୈତିକତା ଦୃଷ୍ଟିରେ ଇସ୍ତଫା ଦେଇଥିôବା କୁହାଯାଇଛି । 
ଅପରପକ୍ଷେ କେସିଏସ୍ ନାଁରେ ହାଇକୋର୍ଟରେ ମାମଲା ହୋଇଥିବା ବେଳେ ଅଧ୍ୟକ୍ଷ ରଘୁରାମ ଭଟ୍ଟ ନିଜର ପକ୍ଷ ରଖିଥିଲେ । ତାଙ୍କ କହିବା କଥା ଗେଟ୍ ସମ୍ମୁଖସ୍ଥ ପରିଚାଳନା ଆମ ଦାୟିତ୍ୱ ନୁହେଁ । ଏଣୁ ସେଠାରେ ଉପୁଜିଥିବା ଭିଡ଼ରେ ଆମର କୌଣସି ଭୂମିକା ନାହିଁ । ଉତ୍ସବ ପୂର୍ବରୁ କେସିଏସ୍ ପକ୍ଷରୁ ବାରମ୍ବାର କୁହାଯାଇଥିଲା ଯେ, ଏହାକୁ ବିଧାନସୌଧ ମଧ୍ୟରେ ପାଳନ କରାଯାଉ । କିନ୍ତୁ ଏହାକୁ ନା ପୁଲିସ୍ ନା ପ୍ରଶାସନ କୌଣସି ବି ଅଧିକାରୀ ଦୃଷ୍ଟି ଦେଇ ନ ଥିଲେ । ଏଣୁ ଗେଟ୍ ସମ୍ମୁଖରେ ଘଟିଥିବା ଘଟଣା ପାଇଁ କେସିଏସ୍ ଦାୟୀ ନୁହେଁ । ଯୋଜନା କରି ଭିକ୍ଟ୍ରି ପାରାଡେକୁ ଗେଟ୍ ବାହାରେ ରଦ୍ଦ କରାଯାଇଥିଲେ ବି ପଡ଼ିଆ ଭିତରେ ଯେଉଁଭଳି ଢଙ୍ଗରେ ଉତ୍ସବ ହେବା କଥା ତାହା ହୋଇଥିଲା ।