ସାଂସଦ ଓ ବିଧାୟକଙ୍କୁ ନଡ୍ଡାଙ୍କ ଚେତାବନୀ ‘ଅହଙ୍କାର ଛାଡ଼, ଗୋଷ୍ଠୀ କରନି’

ସାଂସଦ ଓ ବିଧାୟକଙ୍କୁ ନଡ୍ଡାଙ୍କ ଚେତାବନୀ ‘ଅହଙ୍କାର ଛାଡ଼, ଗୋଷ୍ଠୀ କରନି’

ଭୁବନେଶ୍ୱର/ପୁରୀ : ସରକାରକୁ ଆସିବା ପରେ ବିଜେପିର କିଛି ନେତା ପତିଆରା ଜାହିର କରିବାକୁ ଗୋଷ୍ଠୀ କରୁଛନ୍ତି । ଯାହାଦ୍ୱାରା ଦଳ ଦୁର୍ବଳ ହେବାର ଆଶଙ୍କା ରହିଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସପକ୍ଷ ହାୱା ପାଇଁ ଜିତିଥିଲେବି କିଛି ବିଧାୟକ ଓ ସାଂସଦ ବିଜୟର ଶ୍ରେୟ ନିଜକୁ ହିଁ ଦେଉଛନ୍ତି । ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏସବୁକୁ ଅନୁଶୀଳନ କରିବା ପରେ ଦଳୀୟ ସାଂସଦ ଓ ବିଧାୟକଙ୍କୁ ଚେତାବନୀ ଦେଇଛନ୍ତି । ଅହଙ୍କାର ଛାଡ଼, ଲୋକଙ୍କ ପାଖକୁ ଯାଅ ଓ ଗୋଷ୍ଠୀ କରନି ବୋଲି ସେ କହିଛନ୍ତି ।

ପୁରୀରେ ସାଂସଦ ଓ ବିଧାୟକଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ଜେପି ନଡ୍ଡା । ସେ କହିଥିଲେଯେ, ବିଧାୟକ, ସାଂସଦ ଓ ମନ୍ତ୍ରୀ ବୋଲି ଗର୍ବ ଅହଙ୍କାର କରନି । ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁଖଦୁଃଖ ଦେଖ । ଅଙ୍ଗନବାଡ଼ି ଓ ମେଡ଼ିକାଲକୁୁ ଯାଇ ସ୍ଥିତି ପରଖ  । ସେଠାରେ କିଛି ସମୟ ବିତାଇବାକୁ ପରାମର୍ଶ ଦେଇଛନ୍ତି  । ଖାଲି ସେତିକିନୁହେଁ ନିଜ ଅଞ୍ଚଳର ଦଳିତ ପରିବାରଙ୍କ ସହ ସମ୍ପର୍କ ରଖି ସେମାନଙ୍କୁ ଯୋଜନା ବିଷୟରେ ଅବଗତ କରାଅ । ଗାଁକୁ ଚାଲିବାକୁ ନଡ୍ଡା ସାଂସଦ ଓ ବିଧାୟକଙ୍କୁ କହିଛନ୍ତି । ୧୪ଟି ବିନ୍ଦୁ ଉପରେ ନଡ୍ଡା ନେତାଙ୍କୁ ଟିପସ ଦେଇଛନ୍ତି  । ସେ କହିଥିଲେଯେ, ନେତାମାନେ ନିଜ ଆଡୁ ଲେନ୍ସକୁ ଯିବା ଉଚିତ ନୁହେଁ । ସେମାନେ ଏମିତି କାମ କରିବା ଦରକାର, ଯାହା ଫଳରେ କ୍ୟାମେରା ନେତାମାନଙ୍କ ପାଖକୁ ଆସିବ । ସେହିପରି ସରକାର ଓ ସଂଗଠନ ଉଭୟ ମିଶି ଚାଲିବାକୁ ବି ରାଷ୍ଟ୍ରୀୟ ଶ୍ରୀ ନଡ୍ଡା ପରାମର୍ଶ ଦେଇଛନ୍ତି  । ଆଜି ୪ଟି ଅଧିବେଶନରେ ସାଂସଦ ଓ ବିଧାୟକଙ୍କୁ ଟିପ୍ସ ଦିଆ ଯାଇଥିବାବେଳେ ଆସନ୍ତାକାଲି ବରିଷ୍ଠ ନେତା ବି ସତୀଶ, ସୁନିଲ ବଂଶଲ, ବିଏଲ ସନ୍ତୋଷ ପ୍ରମୁଖ ସାଂସଦ ଓ ବିଧାୟକଙ୍କୁ ସଂଗଠନର ଟିପ୍ସ ଦେବେ । ପୁରୀ-କୋଣାର୍କ ରାସ୍ତାରେ ଅବସ୍ଥିତ ସ୍ୱାମୀ ନାରାୟଣ ମନ୍ଦିର ପରିସରରେ ଉଦ୍‌ଘାଟିତ ହୋଇଛି ବିଜେପିର ୨ଦିନିଆ ପ୍ରଶିକ୍ଷଣ ଶିବିର । ବିଜେପି ସରକାର ଗଠନ କରିବା ପରେ ଦ୍ୱିତୀୟ ଥର ପାଇଁ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର କେନ୍ଦ୍ରୀୟ ସଭାପତି ଜେ.ପି. ନଡ୍ଡା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି  । ରାଜ୍ୟର ବିଜେପି ସାଂସଦ ଓ ବିଧାୟକମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ସାଙ୍ଗଠନିକ ସାଧାରଣ ସମ୍ପାଦକ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସଂଗଠନ ଓ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ପାଇଁ ପ୍ରଶିକ୍ଷଣ ଅବସରରେ ପ୍ରାଧାନ୍ୟ ଦିଆଯାଇଛି  । କିଭଳି ତୃଣମୂଳସ୍ତରରେ ଲୋକଙ୍କ ସଂସ୍ପର୍ଶରେ ଆସିବେ, ଭଲ ଭାଷଣ ଦେବେ ସେ ସଂକ୍ରାନ୍ତରେ ନେତାମାନଙ୍କୁ ତାଲିମ୍‌ ଦିଆଯିବ  । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଲୋକମାନଙ୍କ ନିକଟରେ ପହଁଚାଇବାକୁ ପ୍ରଶିକ୍ଷଣ ଶିବିର ଅବସରରେ ନିର୍ଦ୍ଦେଶ ଦିଆଯାଇଛି । ସାଂସଦ ଓ ବିଧାୟକମାନେ କିଭଳି ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ  । ବୁଥ୍‌ସ୍ତରରେ ସଂଗଠନକୁ ମଜବୁତ୍‌ କରିବାକୁ କର୍ମୀମାନଙ୍କୁ କିଭଳି ଉତ୍ସାହିତ କରାଯିବ, ସଂସଦ ଓ ବିଧାନସଭାରେ କିଭଳି ପ୍ରଭାବଶାଳୀ ଢଙ୍ଗରେ ଆଲୋଚନା କରିବେ ସେଥିନେଇ ସାଂସଦ ଓ ବିଧାୟକମାନଙ୍କୁ ତାଲିମ୍‌ ଦିଆଯାଉଛି  ।