୭୮ ବର୍ଷରେ ରାଜଧାନୀ ଭୁବନେଶ୍ୱର

ଐତିହ୍ୟ, କଳା, ସଂସ୍କୃତି ଓ ପରମ୍ପରା ହେଉଛି ମନ୍ଦିରମାଳିନୀ ସହରର ସ୍ୱତନ୍ତ୍ର ପରିଚୟ । ଭୁବନେଶ୍ୱର କହିଲେ ପୂର୍ବରୁ ଓଲ୍ଡଟାଉନ୍, କପିଳ ପ୍ରସାଦ, କପିଳେଶ୍ୱର ଏବଂ ସାମନ୍ତରାପୁର ଆଦି ଅଞ୍ଚଳକୁ ବୁଝାଉଥିଲା । ୪୦ହଜାର ଜନସଂଖ୍ୟାକୁ ନେଇ ଭୁବନେଶ୍ୱରକୁ ରାଜ୍ୟର ରାଜଧାନୀ ଘୋଷଣା କରିବା ସହ ୧୯୪୮ ଏପ୍ରିଲ ୧୩ରେ ଏହାପାଇଁ ଶିଳାନ୍ୟାସ କରାଯାଇଥିଲା । ୧୯୫୨ ଅକ୍ଟୋବର ପହିଲାରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ୧୯୭୯ରେ ମ୍ୟୁନିସିପାଲିଟି ଓ ୧୯୯୪ରେ ମହାନଗର ନିଗମ (ବିଏମ୍ସି)ର ମାନ୍ୟତା ପାଇଲା ଭୁବନେଶ୍ୱର । ୧୯୮୩ ଏପ୍ରିଲ ୧ରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଗଠନ ହେବା ପରେ ସହର ବିକାଶର ମୂଳଦୁଆ ପଡିଥିଲା । ଇତିମଧ୍ୟରେ ରାଜଧାନୀ ଭୁବନେଶ୍ୱର ୭୮ ବର୍ଷରେ ପାଦ ଥାପିଥିବା ବେଳେ ବିକାଶଧାରାର ନୂଆ କୀର୍ତ୍ତରାଜିିମାନ ସ୍ଥାପନ କରିଛି । ବଢ଼ିଚାଲିଛି ସହର, ଜନସଂଖ୍ୟା ମଧ୍ୟ ୧୩ ଲକ୍ଷ ଟପିଛି । ନୂଆ ସହର ଗଢ଼ି ଉଠୁଥିବାବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ଖେଳ, ପର୍ଯ୍ୟଟନ, ଗମନାଗମନ, ଆତିଥେୟତା, ଷ୍ଟାର୍ଟଅପ୍ ଆଦି ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ିଚାଲିଛି ଭୁବନେଶ୍ୱର ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭୁବନେଶ୍ୱର ବହୁ ସୁନାମ ଅର୍ଜନ କରିଛି । କ୍ୟାପିଟାଲ ହସ୍ପିଟାଲ ଓ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଭଳି ମେଡିକାଲ କଲେଜ ରହିଛି । କ୍ୟାପିଟାଲ ହସ୍ପିଟାଲକୁ ‘ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେଶନ ଆଣ୍ଡ୍ ରିସର୍ଚ୍ଚ’ (ପିଜିଆଇଏମ୍ଇଆର୍) ଭାବେ ବିକଶିତ କରାଯାଇଥିବାବେଳେ ନିକଟରେ ପାନ୍କ୍ରିୟାସ୍କ୍ୟାନ୍ସରର ବିରଳ ଲାପ୍ରୋସ୍କପି ଅସ୍ତ୍ରପଚାର କରି ହାସଲ କରିଛି ବଡ଼ ସଫଳତା । ବହୁ ଘରୋଇ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ ବିଶ୍ୱସ୍ତରୀୟ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସହରର ସମ୍ପ୍ରସାରଣ ଏବଂ ଭିତ୍ତିଭୂମି ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସମୁଦାୟ ୧୪୩ଟି ନୂତନ ରାଜସ୍ୱ ଗ୍ରାମକୁ ବିଡିଏ ସହ ସାମିଲ କରିବା ନେଇ ଅନୁମୋଦନ ମିଳିଛି । ବିଡିଏ ବର୍ତ୍ତମାନ ବିଏମ୍ସି, ଖୋର୍ଦ୍ଧା ପୌର ପରିଷଦ, ଜଟଣୀ ପୌର ପରିଷଦ ଏବଂ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଆଦି ୪ଟି ସହରାଞ୍ଚଳ ସହ ନିକଟବର୍ତ୍ତୀ ଗ୍ରାମପଞ୍ଚାୟତ ଅଞ୍ଚଳଗୁଡିକୁ ତଦାରଖ କରୁଛି । ସହର ସମ୍ପ୍ରସାରଣ ଯୋଜନାବଦ୍ଧ ବିକାଶକୁ ପ୍ରୋତ୍ସାହନ କରିବା, ଭିତ୍ତିଭୂମିର ଉନ୍ନତି ତଥା ଦ୍ରୁତ ସହରୀକରଣରେ ବାଧକ ହେଉଥିବା ସମସ୍ୟାର ସମାଧାନ କରିବ । ୧୯୮୩ ମସିହାରେ ୧୧୬ଟି ରାଜସ୍ୱ ଗ୍ରାମକୁ ନେଇ ବିଡିଏର ସହର ବିକାଶ ଆରମ୍ଭ ହୋଇଥିଲା । ତେବେ ନୂତନ ଗ୍ରାମଗୁଡିକ ମିଶିବା ପରେ ବିଡିଏ ଅଧିକୃତ କ୍ଷେତ୍ରରେ ଥିବା ଗ୍ରାମ ସଂଖ୍ୟା ବୃଦ୍ଧି ପାଇ ୭୧୨ରେ ପହଞ୍ଚିଛି । ସେହିପରି ବିମାନସେବା କ୍ଷେତ୍ରରେ ଭୁବନେଶ୍ୱର ଦିନକୁ ଦିନ ଅଗ୍ରଗତି କରି ଚାଲିଛି । ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ସହ ସିଙ୍ଗାପୁର, ବ୍ୟାଙ୍କକ୍କୁ ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଛି । ସେହିପରି ଏପ୍ରିଲ୍ ୧ରୁ ଭୁବନେଶ୍ୱରରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେଉଛି । ଏହାଦ୍ୱାରା ଭୁବନେଶ୍ୱର ସଂଯୋଗୀକରଣର ଏକ ବଡ଼ ହବ୍ ହେବା ସହିତ ପର୍ଯ୍ୟଟକ, ନିବେଶକ ତଥା ପ୍ରବାସୀଙ୍କ ପାଇଁ ନିରାପଦ ତଥା ସୁଲଭ ଯାତ୍ରାର ସୁଯୋଗ ସୃଷ୍ଟି କରୁଛି ।