ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜୀବନ

 ରଗଡ଼ି-ଆନନ୍ଦପୁର : ଶନିବାର ରାତିରେ ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ସାଙ୍ଗର ଜୀବନ । ସୂଚନା ମୁତାବକ ରାମଚନ୍ଦ୍ରପୁର୍ ଥାନା ବଡ଼ପଦନା ଗାଁର ଶୁଭମ ସାହୁ (୧୯)ଏବଂ ମାନସ ସାହୁ(୧୯) ତାଙ୍କ ସାଙ୍ଗ ବ୍ରଜକିଶୋର ସାହୁ (୨୦)ର ଜନ୍ମ ଦିନ ଅବସରରେ ଗତକାଲି ରାତି ୯ଟା ସମୟରେ ଏକ ହୋଟେଲରୁ କିଛି ଖାଦ୍ୟ କିଣି ନିକଟସ୍ଥ ଅନ୍ଧାରି ଛକରେ ଥିବା ଜୈନିକ ବ୍ୟକ୍ତିଙ୍କ ମାର୍କେଟ କମ୍ପ୍ଲେକ୍ସ ଛାତ ଉପରେ ବସି ଖାଇବାକୁ ଯାଇଥିଲେ । ଖାଇବା ସମୟରେ ଛାତ ଉପରେ ପୂର୍ବରୁ ଯାଇଥିବା ୧୧କେଭି ବିଦୁ୍ୟତ ସଂସ୍ପର୍ଶରେ ପ୍ରଥମେ ସାଙ୍ଗ ମାନସ ଆସି ଯିବାରୁ ତାକୁ ରକ୍ଷା କରିବାକୁ ଯାଇ ଶୁଭମ ମଧ୍ୟ ବିଦ୍ୟୁତ ତା'ର ସଂସ୍ପର୍ଶରେ ଆସି ଯାଇଥିଲା । ଫଳରେ ଦୁଇ ସାଙ୍ଗକୁ ମୁର୍ମୂଷ ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ଶୁଭମକୁ ମୃତ ଘୋଷଣା କରିଥିଲେ । ସେପଟେ ମାନସ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିଲା । ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ରବିବାର ସକାଳୁ ଶବ ବ୍ୟବଛେଦ ପରେ ସ୍ଥାନୀୟ ବଡପଦନା ଗ୍ରାମବାସୀ ଅନ୍ଧାରିରେ ଥିବା ବିଦୁ୍ୟତ ଗ୍ରୀଡ କାର୍ଯ୍ୟାଳୟ ସମ୍ମୁଖରେ ମୃତ ଦେହ ରଖି କ୍ଷତିପୂରଣ ଦାବିରେ ଗ୍ରୀଡ ଅଫିସ ଘେରାଉ କରିବା ସହ ଜାତୀୟ ରାଜପଥ ୨୦କୁ ଟାୟାର ଜାଳି ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା । ଅନ୍ୟପଟେ ବିଦୁ୍ୟତ ବିଭାଗର ଅବହେଳା ଯୋଗୁଁଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ପରିସ୍ଥିତି ଅଣାୟତା ହେବା ପୂର୍ବରୁ ଯାଜପୁର ରୋଡ ସ୍ଥିତ ବିଦୁ୍ୟତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରି ୨୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ ସହ ବିଦୁ୍ୟତ ବିଭାଗର ନିୟମ ଅନୁସାରେ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ପ୍ରତିଶୃତି ଦେଇଥିଲେ । ସେପଟେ ରାସ୍ତା ଅବରୋଧ ହେବା ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଖବର ପାଇ କୋରେଇ, ରାମଚନ୍ଦ୍ରପୁର ଏବଂ ଯାଜପୁରରୋଡ ପୁଲିସ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇବା ପରେ ଗାଡି ଚଳାଚଳ ସ୍ୱଭାବିକ ହୋଇଥିଲା ।