ନରଣପୁର-ଡୁବୁରୀ ରାସ୍ତାରେ ଭାରିଯାନ ଚଳାଚଳ ଉପରେ କଟକଣା
କେନ୍ଦୁଝର : ନରଣପୁର-ହରିଚନ୍ଦନପୁର-ବ୍ରାହ୍ମଣୀପାଳ-ଡୁବୁରୀ ୮୯କିଲୋମିଟର ଜାତୀୟ ରାଜପଥ ୭୨୦ରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରୀ କରାଯାଇଛି । ଏହି ରାସ୍ତାରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଭାରୀଯାନ ଚାଲିବା ଯୋଗୁଁ ରାସ୍ତାରେ ଦୁର୍ଘଟଣା ଘଟିବା ସହ ରାସ୍ତା ଖରାପ ହେଉଥିବାର ଜଣାପଡିଛି । ରୋଗୀ,ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଏବଂ ଜରୁରୀ କାମରେ ଯାତାୟତ କରୁଥିବା ଲୋକ ରାସ୍ତା ଖରାପ ଯୋଗୁଁ ହଇରାଣ ହେଉଛନ୍ତି । ରାସ୍ତା ଖରାପ ଯୋଗୁଁ ସାଧାରଣ ଲୋକଙ୍କ ଗମନାଗମନରେ ସମସ୍ୟା ସୃଷ୍ଟି କରୁଛି । ଏହାକୁ ଲକ୍ଷ୍ୟ କରି ଜିଲ୍ଲାପାଳ ତଥା ତଥା ଅଂଚଳିକ ପରିବହନ ପ୍ରାଧିକରଣର ଅଧ୍ୟକ୍ଷ ଚିଠି କରି ଏହି ରାସ୍ତାରେ ଭାରିଯାନ ଚଳାଚଳ ୧ ମାସ ପାଇଁ ନିଷିଦ୍ଧ କରିଛନ୍ତି । ଏହି କଟକଣା ୧ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏହି ରାସ୍ତାଟି ନରଣପୁରରୁ ବାହାରି ପଣ୍ଡାପଡା,ହରିଚନ୍ଦନପୁର,ବ୍ରାହ୍ମଣୀପାଳ ଦେଇ ଡୁବୁରୀଠାରେ ମିଶିଛି । କେବଳ ଛୋଟ ଗାଡି,ଆମ୍ବୁଲାନ୍ସ ଇତ୍ୟାଦି ଚାଲିବ ବୋଲି ନିୟମ କରାଯାଇ ଭିଆଇପି ରୋଡ ଭାବେ ନାମିତ ହୋଇଥିଲା । ଏହି ରାସ୍ତାରେ ଭାରୀଯାନ ଚାଲିପାରିବ ନାହିଁ ବୋଲି ପୂର୍ବରୁ କଟକଣା ଥିଲେ ମଧ୍ୟ ବେଧଡକ ଟ୍ରକ ଏବଂ ଅନ୍ୟ ଭାରୀଯାନ ଚଳାଚଳ କରୁଛି ।