ସାପ୍ତାହିକ ହାଟକୁ ନେଇ ବିବାଦ
ବଡ଼ସାହି : ବଡ଼ସାହି ବ୍ଲକ୍ ଅନ୍ତର୍ଗତ ପଟିସାରି ପଞ୍ଚାୟତର ତେନ୍ତୁଳିଗାଁ ଗ୍ରାମରେ ବହୁ ପୂର୍ବରୁ ସାପ୍ତାହିକ ହାଟ ନିଲାମ ପ୍ରକ୍ରିୟାରେ ବସି ଆସୁଥିଲା । ଉକ୍ତ ହାଟକୁ ଚଳିତ ଆର୍ଥôକ ବର୍ଷ ନିମନ୍ତେ ତେନ୍ତୁଳିଗାଁ ଗ୍ରାମର ଶ୍ରୀକାନ୍ତ ଦେହୁରୀଙ୍କ ସ୍ତ୍ରୀ ନିରୁପମା ଦେହୁରୀ ୭୬ ହଜାର ୫ଟଙ୍କାରେ ନିଲାମ ନେଇ ମାହାସୁଲ ଆଦାୟ କରୁଥିଲେ । ନିକଟସ୍ଥ ବେଗୁନିଆବଣି ଗ୍ରାମ ଓ ତେନ୍ତୁଳିଗାଁ ଗ୍ରାମ ମଧ୍ୟରେ କୌଣସି କାରଣରୁ ବିବାଦ ଉପୁଜିଥିଲା । ଏହାକୁ କେନ୍ଦ୍ରକରି ହାଟରେ ବିକ୍ରି କରୁଥିବା କେତେକ ବ୍ୟବସାୟୀ ଓ ବାଡ଼ିଆଙ୍କୁ ଶିଖାଇ ଉକ୍ତ ତେନ୍ତୁଳିଗାଁ ହାଟ ପାଖରୁ ପ୍ରାୟ ୩୦୦ ମିଟର ଦୂରରେ ଅପରପକ୍ଷ ନୂଆ କରି ହାଟ ବସାଇଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା ।
ସଂପୃକ୍ତ ପଞ୍ଚାୟତର ସରପଞ୍ଚ ତେନ୍ତୁଳିଗାଁ ହାଟକୁ ନିଲାମ ଦେଇଥିବାରୁ ପ୍ରଥମ ପର୍ଯ୍ୟାୟରେ ଏହାକୁ ବୈଧ ବୋଲି ଡ଼ାକବାଜି ଯନ୍ତ୍ରରେ ଘୋଷଣା କରିଥିଲେ । ମାତ୍ର ଅନ୍ୟପକ୍ଷର ଚାପରେ ବଶବର୍ତ୍ତୀ ହୋଇ କିଛି ଦିନ ପରେ ନିକଟସ୍ଥ ହାଟକୁ ବୈଧ ବୋଲି ଚିଠିରେ ଦର୍ଶାଇଥିଲେ । ଏ ସମ୍ପର୍କରେ ପ୍ରଥମ ପକ୍ଷ ବାରିପଦା ଉପଜିଲ୍ଲାପାଳଙ୍କୁ ଲିଖିତ ଅବଗତ କରାଇବା ସହ ବଡ଼ସାହି ବିଡ଼ିଓ, ତହସିଲଦାର, ଥାନା ଅଧିକାରୀଙ୍କୁ ଜଣାଇବା ପରେ ଉପଜିଲ୍ଲାପାଳ ସରପଞ୍ଚଙ୍କ ଉଦେ୍ଦଶ୍ୟରେ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ । ଏବଂ ପ୍ରଥମ ତେନ୍ତୁଳିଗାଁ ହାଟ ପାଖରୁ ୨ କିମି ଭିତରେ ଅନ୍ୟ ହାଟ ହୋଇପାରିବ ନାହିଁ ବୋଲି ଉଲ୍ଲେଖ କରିଥିଲେ । ଏଥିସହିତ ବେଆଇନ ଭାବେ ପ୍ରଥମ ହାଟ ଠାରୁ ୨୦୦/୩୦୦ ମିଟର ଦୂରରେ ହୋଇଥିବା ହାଟସ୍ଥଳରେ ୧୪୪ ଧାରା ଜାରି ପାଇଁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ପୁନଶ୍ଚ ଅପରପକ୍ଷ ସ୍ଥାନୀୟ ଫାଣ୍ଡି ଅଧିକାରୀଙ୍କ ଇଙ୍ଗିତ ତଥା ସାହସ ପାଇ ସେହି ସ୍ଥାନ ଠାରୁ ୧୦୦ ମିଟର ଦୂରରେ ହାଟ ବସାଇଥିଲେ । ପ୍ରଥମ ପକ୍ଷ ଏହାର ପ୍ରତିବାଦ କରିବାରୁ ଫାଣ୍ଡି ଅଧିକାରୀ ନିଲାମ ଧାରୀ ନିରୁପମା ଦେହୁରୀଙ୍କ ସମେତ ଅନ୍ୟ କେତେକ ମହିଳାଙ୍କୁ ଗାଳି ଗୁଲଜ କରିଥିବା ଦର୍ଶାଇ ନିରୁପମା ବଡ଼ସାହି ଥାନାରେ ଗତ ୧୫ ତାରିଖ ଦିନ ଫାଣ୍ଡି ଅଧିକାରୀ ବିରୋଧରେ ଏକ ଏତଲା ଦେଇଥିଲେ । ମାତ୍ର ଏଥିନେଇ କୌଣସି କେସ୍ ରୁଜୁ ହୋଇନଥିବା ଜଣାଯାଇଛି । ଅନ୍ୟପକ୍ଷରେ ବେଗୁନିଆବଣି ନିକଟରେ ହାଟ ବସାଇଥିବା ବ୍ୟକ୍ତିଗଣ ପୂର୍ବରୁ ନୂତନ ଭାବେ ହାଟ ବସାଇବାକୁ ଉପଜିଲ୍ଲାପାଳଙ୍କ ନିକଟରୁ ଅନୁମତି ଭିକ୍ଷା କରିଥିଲେ । ପରନ୍ତୁ ଉପଜିଲ୍ଲାପାଳ ଏକ ତରଫା ଭାବେ ସେହି ହାଟ ସ୍ଥାନକୁ ୧୪୪ ଧାରା ଜାରି କରାଇଥିବାରୁ ସେମାନେ ଅଭିଯୋଗ କରିବା ପୂର୍ବକ ସେମାନଙ୍କ ଅସନ୍ତୋଷ ବୃଦ୍ଧି ପାଇଛି । ଉକ୍ତ ୧୪୪ ଧାରାକୁ ଉଚ୍ଛେଦ କରିବା, ବେଗୁନିଆବଣି ଠାରେ ନୂତନ କରି ହାଟ ବସାଇବା ନିମନ୍ତେ ଅନୁମତି ଦେବାକୁ ସେମାନେ ପୁନର୍ବାର ଲିଖିତ ନିବେଦନ କରିଥିବା ଜଣାପଡିଛି ।