ହାଇସ୍କୁଲ କିରାଣୀରୁ ଯନ୍ତ୍ରୀ ହେଲେ ଅରବିନ୍ଦ

 କପ୍ତିପଦା : କଠିନ ପରିଶ୍ରମର ଫଳ ଜୀବନକୁ ଆନନ୍ଦିତ କରିଥାଏ । କପ୍ତିପଦା ବ୍ଲକ ଅନ୍ତର୍ଗତ ବଡଖଲାଡ଼ି ଗ୍ରାମପଞ୍ଚାୟତର ସିନ୍ଧୁପୁର ଗ୍ରାମର ଅରବିନ୍ଦ ଜେନା ହାଇସ୍କୁଲ କିରାଣୀରୁ ଯନ୍ତ୍ରୀ ହୋଇଛନ୍ତି । ପିତା ପିତାମ୍ବର ଜଣେ ରାଜ ମିସ୍ତ୍ରୀ ହୋଇଥିବା ବେଳେ ମା’ଜୟନ୍ତୀ ଗୃହିଣୀ ଅଟନ୍ତି । ବହୁ ଅଭାବ ଅନାଟନରେ ଅରବିନ୍ଦଙ୍କୁ ପଢ଼ାଇଥିଲେ ପିତାମାତା । ଅରବିନ୍ଦ ମଧ୍ୟ ନିଜର ଗରିବକୁ ଦୃଷ୍ଟିରେ ରଖି ପାଠପଢ଼ାରେ ଆଗେଇ ଚାଲିଲେ । ୨୦୦୮ରେ ଶ୍ରୀ ଅରବିନ୍ଦ ବିଦ୍ୟାପୀଠ ନୂଆସାହିରୁ ମାଟ୍ରିକ ପାସ୍ କରି ଇଞ୍ଜିନିୟରିଂରେ ପାଦ ଦେଇ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରୁ ଡିପ୍ଲୋମା କରିବା ପରେ ସତ୍ୟସାଇ ଇଞ୍ଜିନିୟରିଂ କଲେଜ ବାଲେଶ୍ୱରରୁ ଡିଗ୍ରୀ ହାସଲ କରିଥିଲେ । ଏହାପରେ ବାରିପଦାରେ ଏକ ଘରୋଇ ଶିକ୍ଷା ଅନୁଷ୍ଠାନ ନିଡସ୍ କୋଚିଙ୍ଗ ସେଣ୍ଟର୍ରେ ପଢ଼ାଇବା ସହ ନିଜେ ମଧ୍ୟ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିଲେ । ତେବେ ଏହା ପରେ ପ୍ରଥମେ କପ୍ତିପଦା ବ୍ଲକର ଟେକ୍ନିକାଲ କନ୍ସୋଲ୍ଟାଣ୍ଟ ରୂପେ ୨୦୨୦ରେ ଯୋଗଦାନ କରିଥିଲେ । ପରେ ଜୀବନର ଉନ୍ନତିକ୍ରମେ ୨୦୨୪ ମସିହାରେ ବାପୁଜୀ ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟରେ କିରାଣୀ ଭାବେ ଯୋଗଦାନ କରିଥିଲେ । ତେବେ ନିଜର କାର୍ଯ୍ୟଦକ୍ଷତାକୁ ଆଗକୁ ନେଇ ସେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି ବଜାୟ ରଖି  ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଯୁକ୍ତି ମେଳାରେ ଜୁନିଅର ଇଂଜିନିୟର ଭାବେ ପୂର୍ତ୍ତ ବିଭାଗରେ ନିଯୁକ୍ତି ପାଇଛନ୍ତି । ଏହାକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିବା ସହ ଆନନ୍ଦର ଲହରି ଖେଳି ଉଠିଛି । ଏ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।