ସାହିରାସ୍ତା ବିପଦସଂକୁଳ
ବୁଗୁଡ଼ା : ଦୁର୍ଘଟଣାକୁ ଡାକୁଛି ଜୀବନପାତ୍ର ଗଳି । କେତେବେଳେ କାହାର ଜୀବନ ଚାଲିଯିବ ସେହି ଆଶଙ୍କାରେ ଏବେ ସାହି ବାସିନ୍ଦା । ବୁଗୁଡ଼ା ସହରର ଜୀବନ ପାତ୍ର ଗଳି ବିପଦପୂର୍ଣ୍ଣ ହୋଇପଡିଛି । ଏହି ଗଳି ମଝିରେ ଡ୍ରେନ୍ ନିର୍ମାଣ କରାଯାଇଥିବାବେଳେ ଡ୍ରେନ୍ ଉପରେ ପଡ଼ିଥିବା କଭର ପ୍ଲେଟ ଭାଙ୍ଗି ଯାଇ ଗର୍ତ୍ତ ସୃଷ୍ଟି ହୋଇଛି । ଯାହାଫଳରେ ଏବେ ପଥଚାରୀଙ୍କ ଜୀବନ ବିପଦ ସଂକୁଳ ଅବସ୍ଥାରେ ରହିଛି । ତେବେ ଡ୍ରେନ୍ ଉପରେ ପଡ଼ିଥିବା କଭର ପ୍ଲେଟର ସ୍ଥାୟୀ ସମାଧାନ ନ କରି କେବଳ କାମଚଳା ମରାମତି କରି ଦିଆଯାଉଥିବାରୁ ପ୍ରତିବର୍ଷ ଏପରି ଅବସ୍ଥା ସୃଷ୍ଟି ହେଉଛି । ଏହି ରାସ୍ତା ଉପରେ ପ୍ରାୟ ୫ଟି ସାହିର ଲୋକ, ଛାତ୍ରଛାତ୍ରୀ ନିର୍ଭର କରୁଥିବାବେଳେ ପିଲାମାନଙ୍କୁ ନେବା ଆଣିବା କରିବା ପାଇଁ ବିଭିନ୍ନ ସ୍କୁଲର ଗାଡି ମଟର ଏହି ରାସ୍ତାରେ ଯିବା ଆସିବା କରନ୍ତି । ଏପରିକି ରାତିରେ ବାରମ୍ବାର ବିଦୁ୍ୟତ୍ କାଟ୍ ଯୋଗୁଁ ଅନ୍ଧାର ସମୟରେ ସେହି ରାସ୍ତାରେ ଯାତାୟାତ ବେଳେ ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ରହିଛି । ସମ୍ପ୍ରତି ବୁଗୁଡାରେ ଠାକୁରାଣୀ ଯାତ୍ରା ଚାଲିଥିବାରୁ ଲୋକଙ୍କ ଗହଳି ହେଉଥିବାରୁ ଖୁବ୍ଶୀଘ୍ର ଯଦି ବିକଳ୍ପ ବ୍ୟବସ୍ଥା କରା ନଯାଏ, ତାହେଲେ ଅନେକ ଦୁର୍ଘଟଣା ଘଟିବା ଆଶଙ୍କା ଦେଖାଦେଇଛି । ତେଣୁ ଏନ୍ଏସି ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଏଥିପ୍ରତି ପ୍ରତିକାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।