କାନ୍ଥରେ ରଙ୍ଗମରା ନାଁ ଲକ୍ଷାଧିକ ଟଙ୍କା ଆତ୍ମସାତ୍

 ହିଞ୍ଜିଳିକାଟୁ :  ଭାରତ ସରକାରଙ୍କ ପ୍ରମୁଖ ବିଭାଗଟି ହେଉଛି ସ୍ୱଚ୍ଛ ଭାରତ ମିଶନ । ପଲ୍ଲୀ ଠାରୁ ଦିଲ୍ଲୀ ଓ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ସ୍ୱଚ୍ଛ ଭାରତ ମିଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି ସତ କିନ୍ତୁ ତାହା କେତେଦୂର ସଠିକ୍ ଭାବେ କାର୍ଯ୍ୟକାରୀ ହେଉଛି ତାହା ତଦନ୍ତ ସାପେକ୍ଷ । ଉକ୍ତ ଯୋଜନାରେ ବ୍ୟାପକ ଅନିୟମିତତା ସହିତ ଅନେକ ଦୁର୍ନୀତି ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ହିଞ୍ଜିଳିକାଟୁ ପୂର୍ତ୍ତ ବିଭାଗ ଦ୍ୱାରା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଇଁଚବଣିଆ ଉପନିବନ୍ଧକ କାର୍ଯ୍ୟାଳୟ ପାଚେରୀରେ ଦେଖିବାକୁ ମିଳିଛି । ବିଜେଡି ପକ୍ଷରୁ ରଙ୍ଗମାରି  ୫ଟିର ଗୁଣଗାନ କରୁଥିଲେ ବର୍ତ୍ତମାନ ପୁରୁଣା ରଙ୍ଗ ଉପରେ ଗୋଲାପି ରଙ୍ଗ ମାରି ସରକାରୀ ଦଳୀୟ କର୍ମୀମାନଙ୍କୁ ଖୁସି କରିବାରେ ଅଧିକାରୀମାନେ ଲାଗି ପଡିଛନ୍ତି । ରଙ୍ଗ ମାରିବା ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଅତି ନିମ୍ନମାନର ବୋଲି ସହରବାସୀ ଅଭିଯୋଗ କରିଛନ୍ତି । ତେବେ ଏହି କାର୍ଯ୍ୟରେ ବ୍ୟାପକ ଚଞ୍ଚକତା କରାଯାଇଥିବା ସଙ୍ଗୀନ ଅଭିଯୋଗ ଆସିଛି । ସେହିପରି ହିଞ୍ଜିଳିକାଟୁ ସବ୍ରେଜିଷ୍ଟାର କାର୍ଯ୍ୟାଳୟ ପାଚେରୀରେ ରଙ୍ଗ ମାରିବାର ଏକ ମାସ ନ ପୁରୁଣୁ ରଙ୍ଗ ଛାଡିଗଲାଣି । କାନ୍ଥରେ ରଙ୍ଗ ବୋଳିବା ପରେ ଛାଡ଼ିଯିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଉନ୍ନତିକରଣ କାର୍ଯ୍ୟ କେତେ ପରିମାଣର ହେଉଛି, କିଭଳି ଭାବେ କାର୍ଯ୍ୟ ସମ୍ପାଦନା କରାଯିବା ନେଇ କେତେ ଅର୍ଥ ବ୍ୟୟ ବରାଦ ଅଛି, ତାର କୌ÷ଣସି ସୂଚନା ଫଳକ କିମ୍ବା ତଥ୍ୟ ଉଲ୍ଲେଖ କରାଯାଇନାହିଁ । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ମୁହଁ ଖୋଲିଲେ ସେମାନଙ୍କୁ ଧମକ ଚମକ ଦିଆଯାଇ ଚୁପ କରି ଦିଆଯାଉଛି । ଏଠି ପ୍ରଶ୍ନ ଉଠୁଛି ହିଞ୍ଜିଳିକାଟୁ ପୂର୍ତ୍ତବିଭାଗରେ ଯେଉଁ ସବୁ କାର୍ଯ୍ୟ କରାଯାଇଛି, ସେଥିମଧ୍ୟରୁ  ଅନେକ ସ୍ଥାନରେ ନିର୍ମାଣ ହେବାର ଅଳ୍ପ ଦିନ ଭିତରେ ନଷ୍ଟ ହେଲାଣି ତ  କେଉଁଠି  ଭାଙ୍ଗି ଗଲାଣି ତ, କେଉଁଠି ରଙ୍ଗ ଛାଡି ଗଲାଣି । ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କଲା ପରେ ମଧ୍ୟ କେହି ବି କର୍ଣ୍ଣପାତ କରୁନାହାନ୍ତି । ସ୍ୱଚ୍ଛ ଭାରତ ମିଶନରେ ଭାରତ ସରକାର ଏବଂ ଓଡିଶା ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରତିନିଧିଙ୍କ ଅପାରଗତା ଓ ବାଟମାରଣା ନୀତି ଯୋଗୁଁ ଅନେକ ଜାଗାରେ ଏହା ସ୍ଥାଣୁ ପାଲଟିଯାଇଛି । ପ୍ରଶ୍ନ ଉଠୁଛି ଯଦି ଜାତୀୟ ରାଜପଥ କଡ଼ରେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଓ ଡାକବଙ୍ଗଳା କଡ଼ରେ ଏମିତି ନିମ୍ନମାନର କାମ ହୋଇଛି, ତେବେ ଉପାନ୍ତ ଅଞ୍ଚଳରେ କାମର ମାନ କେମିତି ରହୁଥିବ ତାହା ଏଥିରୁ ଅନୁମାୟ କରାଯାଉଛି । ପୂର୍ତ୍ତ ବିଭାଗ ଓ  ହିଞ୍ଜିଳିକାଟୁ ବ୍ଲକ୍ର କିଛି କାମକୁ ଅନୁଧ୍ୟାନ କଲେ ଭାଙ୍ଗିବା ଗଢ଼ିବାରେ ଚାଲିଛି ହିଞ୍ଜିଳିକାଟୁର ବିକାଶ । ସରକାରୀ ଦଳୀୟ କର୍ମୀଙ୍କୁ ଖୁସି କରିବାରେ ଲାଗିଛନ୍ତି ଅଧିକାରୀ ନୂଆ ଗାର୍ଡୱଲ ନିର୍ମାଣ ହେଉଛି, କିଛି ଦିନ ପରେ ତାକୁ ଭାଙ୍ଗି ପୁଣି ନୂଆ କରାଯାଉଛି  । ପ୍ରତିବାଦର ସ୍ୱର ଖୁବ୍ କମ । ପ୍ରତିବାଦ ଉଠିଲେ ତାକୁ ବି ଚାପି ଦିଆଯାଉଛି । ଏପରି କି ପୁରୁଣା କାନ୍ଥରେ ରଙ୍ଗ ବୋଲିି ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରାଯାଉଥିବା ପରି ଅଭିଯୋଗ ରହିଛି । କାନ୍ଥରେ ରଙ୍ଗ ବୋଳି ଦେଲେ  ବିକାଶ ହୁଏନି ବୋଲି କହି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବ ସରକାରର ୫-ଟି ବ୍ୟବସ୍ଥାକୁ କଟାକ୍ଷ କରିଥିଲେ । ହେଲେ ସରକାର ଗଠନ ପରଠାରୁ ବିଜେପି କିଛି କରୁ ବା ନକରୁ ରଙ୍ଗ ବଦଳାଇବାରେ ଲାଗିଛି । ପୂର୍ତ୍ତ ବିଭାଗର ଏହି କାର୍ଯ୍ୟରେ ବ୍ୟାପକ ଚଞ୍ଚକତା କରାଯାଇଥିବା ସହରରେ ଚର୍ଚ୍ଚା ଜୋର ଧରିଛି ।