ସୁପ୍ରିମକୋର୍ଟଙ୍କ ରୋକ : ଦିଲ୍ଲୀରେ ଲାଗୁ ହେବନି ଆୟୁଷ୍ମାନ ଭାରତ


ନୂଆଦିଲ୍ଲୀ:  ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ୍-ଏଭିଆଇଏମ୍) କାର୍ଯ୍ୟକାରୀ ହେବା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଦିଲ୍ଲୀ ହାଇକୋର୍ଟ ତାଙ୍କ ଏକ ନିଦେ୍ର୍ଦଶରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବୁଝାମଣା କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହି ବୁଝାମଣା ଅନୁଯାୟୀ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ୍-ଏବିଏଚଆଇଏମ୍) କୁ ଜାତୀୟ ରାଜଧାନୀରେ କାର୍ଯ୍ୟକାରୀ କରାଯିବାର ଥିଲା  । ତେବେ ଏବେ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଛନ୍ତି । 
ଜଷ୍ଟିସ ବିଆର୍ ଗଭାଇ ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ-ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ-ଏବିଏଚଆଇଏମ୍) କାର୍ଯ୍ୟକାରୀ କରିବା ପାଇଁ ଜାନୁଆରି ୫ ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ଦିଲ୍ଲୀ ସରକାରଙ୍କୁ ଦିଆଯାଇଥିବା ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ଖଣ୍ଡପୀଠ ଦିଲ୍ଲୀ ହାଇକୋର୍ଟଙ୍କ  ଗତ ଡିସେମ୍ବର ୨୪ ତାରିଖରେ ନିଦେ୍ର୍ଦଶ ବିରୋଧରେ ଦିଲ୍ଲୀ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନର ଶୁଣାଣି କରି କେନ୍ଦ୍ର ଏବଂ ଅନ୍ୟମାନଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ।