ସୁଭାଷଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ
ଭୁବନେଶ୍ୱର : ୨୦୨୪ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି ବିଶିଷ୍ଟ ଲେଖକ, ଅନୁବାଦକ ତଥା ବରିଷ୍ଠ ସାମ୍ବାଦିକ ସୁଭାଷ ଶତପଥୀ । ବିଶିଷ୍ଟ ଇଂରାଜୀ ଲେଖକ ରସ୍କିନ୍ ବଣ୍ଡ୍ଙ୍କ ଆତ୍ମଜୀବନୀ ‘ଲୋନ୍ ଫକ୍ସ ଡ୍ୟାନ୍ସିଂ’କୁ ‘କୋକିଶିଆଳିର ଏକକ ନୃତ୍ୟ’ ଶୀର୍ଷକରେ ଅନୁବାଦ କରିଥିବାରୁ ସୁଭାଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ନୂଆଦିଲ୍ଲୀ ଠାରେ ଏକାଡେମୀ ସଭାପତି ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହି ପୁରସ୍କାର ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ବିଭିନ୍ନ ଭାଷାର ୨୧ଟି ଅନୁବାଦ ପୁସ୍ତକ ପୁରସ୍କାର ପାଇଁ ଏହି ମର୍ଯ୍ୟାଦାଜନକ ଅନୁବାଦ ପୁରସ୍କାର ଘୋଷଣା କରାଯାଇଛି ।
ପୁରସ୍କାର ବାବଦକୁ ଶ୍ରୀ ଶତପଥୀଙ୍କୁ ନଗଦ ୫୦ ହଜାର ଟଙ୍କା, ମାନପତ୍ର ଓ ଏକାଡେମୀ ପ୍ରଶସ୍ତି ଫଳକ ପ୍ରଦାନ କରାଯିବ । ଓଡ଼ିଆ ବିଭାଗର ଏହି ପୁରସ୍କାର ନିର୍ଣ୍ଣୟ ପାଇଁ ସାହିତ୍ୟ ଅକାଡେମୀ ପକ୍ଷରୁ ଗଠିତ ବିଚାରକମଣ୍ଡଳୀରେ ଅମରେଶ ପଟ୍ଟନାୟକ, ପ୍ରବାସିନୀ ମହାକୁଡ଼ ଓ ମୋନାଲିସା ଜେନା ଥିଲେ । ତେବେ ପ୍ରକାଶିତ ସରକାରୀ ବିଜ୍ଞପ୍ତିରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ନେପାଳୀ ଏବଂ ସଂସ୍କୃତ ଭାଷା ପାଇଁ ପୁରସ୍କାର ପରେ ଘୋଷଣା କରାଯିବ ।
ସୂଚନାଯୋଗ୍ୟ, ୧୯୮୩ରେ ଉକôଳ ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର କରିଥିବା ଶତପଥୀ ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସୁଭାଷ ଶତପଥୀଙ୍କ ପ୍ରକାଶିତ ଅନ୍ୟ ଅନୁବାଦ ପୁସ୍ତକ ମଧ୍ୟରେ ରହିଛି ‘ସଂସାର’, ‘ପୂର୍ଣ୍ଣିମା ରାତ୍ରିର ଅଭିସାର ଓ ଅନ୍ୟାନ୍ୟ ଗଳ୍ପ’, ‘ସମୁଦ୍ର କୂଳର ଗାଁ’, ‘ଖୁଶୱନ୍ତ ସିଂହଙ୍କ ଗଳ୍ପ’, ‘ଏମ.ଟି. ବାସୁଦେବ ନାୟାରଙ୍କ ଗଳ୍ପ’, ‘ବିଭାଜନ’ ଇତ୍ୟାଦି । ତାଙ୍କ ରଚନାରେ ବିଶିଷ୍ଟ ଓଡ଼ିଆ ରାଜନେତା ହରେକୃଷ୍ଣ ମହତାବଙ୍କ ଜୀବନୀର ଇଂରାଜୀ ପରିବେଷଣ, ନିତ୍ୟାନନ୍ଦ କାନୁନଗୋଙ୍କ ଜୀବନୀ ଏବଂ ଓଡ଼ିଆ ଜାତୀୟତାବାଦର ବିଷୟବସ୍ତୁକୁ ଅନୁସନ୍ଧାନ କରୁଥିବା ଏକ ପୁସ୍ତକ ମଧ୍ୟ ଅନ୍ତର୍ଭୁକ୍ତ ।