ସୂତା ଖିଅରେ ଦାଦନଙ୍କ ଭାଗ୍ୟ

ରାଜ୍ୟର ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ଅଞ୍ଚଳରୁ ବାହାର ରାଜ୍ୟକୁ ଦାଦନ ଶ୍ରମିକଙ୍କ ସୁଅ ଛୁଟୁଛି । ଏହି ସମସ୍ୟା ଯେତିକି ଉକôଟ ହେଉଛି ଦାଦନ ମଣିଷର ଭାଗ୍ୟ ସେତିକି ଆଶଙ୍କା ଓ ଅନିଶ୍ଚିତତାର ଅନ୍ଧକାର ଭିତରକୁ ଠେଲି ହୋଇଯାଉଛି । ନୂଆପଡ଼ା ଜିଲ୍ଲା ବି ବାଦ ପଡିନି ଏଥିରୁ । କାମ ଧନ୍ଦା ନ ପାଇ ଏହି ଜିଲ୍ଲାର ସିନାପାଲି ସମେତ ଅନ୍ୟ ଆଦିବାସୀ ଅଧୁ୍ୟଷିତ ଅଞ୍ଚଳର ହଜାର ହଜାର ଗରିବ ଲୋକ ଦାଦନ ଶ୍ରମିକ ସାଜି ବାହାରକୁ ଚାଲିଯାଉଛନ୍ତି । ଦାଦନ ଶ୍ରମିକ ପାଇଁ ଚର୍ଚ୍ଚିତ ସିନାପାଲି ବ୍ଲକ ନୂଆପଡ଼ା ଜିଲ୍ଲାର ଏକ ଆଦିବାସୀ ଅଧୁ୍ୟଷିତ ତଥା ସୀମାନ୍ତ ଛତିଶଗଡ଼ରେ ଅବସ୍ଥିତ । ଅଭାବ ଅନଟନରେ ପଡ଼ି ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇ ଦାଦନର ଆଖ୍ୟା ପାଇଥିବା ଏହି ଅଞ୍ଚଳର ଶ୍ରମିକ ମାନଙ୍କ ଦୁଃଖ ଅସରନ୍ତି । ଅଧିକ ରୋଜଗାର କରିବା ଆଶା ନେଇ ସେମାନେ ନିଜ ଭିଟା ମାଟି ଛାଡ଼ନ୍ତି କିନ୍ତୁ କର୍ମସ୍ଥଳରେ ପହଞ୍ଚିଲା ପରେ ସବୁ ସକାଳର କୁହୁଡି ପରି ସବୁ ଆଶା ମିଳେଇ ଯାଏ । ଠିକାଦାର ଓ ଦଲାଲ ମାନଙ୍କ ସହାୟତାରେ ଦାଦନ କାମକୁ ଯାଉଥିବା ଏହି ଶ୍ରମିକ ମାନେ ମୁଖ୍ୟତଃ ଇଟା ଗଢ଼ିବା ଓ ବୋହିବା କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ସେମାନଙ୍କୁ ସେଠାରେ ହାଡ଼ ଭଙ୍ଗା ପରିଶ୍ରମ କରିବାକୁ ପଡ଼ିଥାଏ । ଟାଣ ଖରାରେ କାମ କରୁଥିଲେ ମଧ୍ୟ ଏମାନଙ୍କୁ ଟିକେ ବିଶ୍ରାମ ଦିଆଯାଇନଥାଏ । ପାହାନ୍ତିଆ ସକାଳୁ କାମ କରିବାକୁ ମାଲିକର ହାକିମ ପଡେ । କାମକୁ ନଗଲେ ମାଡ ବି ଖାଇବାକୁ ପଡେ । ହାଡ଼ ଭଙ୍ଗା ପରିଶ୍ରମ କରି ଥକା ମେଣ୍ଟାଇବା ପାଇଁ କିଛି ସମୟ ବିଶ୍ରାମ ନେବାକୁ ବି ଦିଆଯାଏ ନାହିଁ । କାମ କରୁଥିବା ସମୟରେ ଯଦି କିଛି ଦୁର୍ଘଟଣା ଘଟି ଯାଏ ସେଥି ପାଇଁ କୌଣସି କ୍ଷତି ପୂରଣ ବି ମିଳେନାହିଁ । ଏପରିକି ଶ୍ରମିକମାନଙ୍କ ନିରାପତ୍ତା ଓ ସୁରକ୍ଷା ପ୍ରତି କୌଣସି ଦୃଷ୍ଟି ବି ଦିଆଯାଏନାହିଁ ବୋଲି ଫେରନ୍ତା ଦାଦନ ଶ୍ରମିକ ମାନେ ପ୍ରକାଶ କରିଛନ୍ତି । ଦାଦନ ରୂପେ ବିଭିନ୍ନ ସମୟରେ କାମ କରିବାକୁ ଯାଇ ଥିବା ଶ୍ରମିକଙ୍କ ମୃତୁ୍ୟ ଘଟିବା ଯେତିକି ଦୁଃଖ ଦାୟକ ସେତିକି ହୃଦୟ ବିଦାରକ । ଦାଦନଙ୍କୁ କାମ ଯୋଗାଇ ଦେଇଥିବା ମାଲିକ ମାନେ କେତେ ଯେ ନୃଶଂସ, କେତେ ଯେ ଅତ୍ୟାଚାରୀ ଏଥିରୁ ତାହା ଜାଣି ହୁଏ । ଦାଦନ ଶ୍ରମିକଙ୍କ ମୃତୁ୍ୟ ଘଟିବା ସାଙ୍ଗକୁ ଘରକୁ ମୃତ ଦେହ ପହଞ୍ଚିବା, ଦାଦନ ଶ୍ରମିକ ବନ୍ଧକ ରହିବା, ନିଖୋଜ ହେବା ଏପରିକି ନିର୍ଯାତନାର ଶୀକାର ହେବା ଘଟଣା ଏକ ନୀତି ଦିନିଆ ଘଟଣାରେ ପରିଣତ ହୋଇଛି । ପ୍ରତି ଦିନ ଏହି ଶୀର୍ଷକ ଖବର ଗଣମାଧ୍ୟମରେ ପୃଷ୍ଠା ମଣ୍ଡନ କରୁଛି । ତଥାପି ନୂଆପଡ଼ା ଜିଲ୍ଲାରୁ ସୁଅ ଛୁଟୁଛି । ଅନେକ ସମୟରେ ମୃତୁ୍ୟ ପରେ ନିରୀହ ଦାଦନ ଶ୍ରମିକ ପରିବାର ପ୍ରଶାସନ ତଥା ସରକାରଙ୍କ ନିକଟରେ କ୍ଷତି ପୂରଣ, ଅନୁକମ୍ପା ସହାୟତା ରାଶି ପାଇଁ ନିବେଦନ କରାଯାଉଛି ହେଲେ ସବୁ ସାର ହୋଇ ରହିଯାଉଛି । ନୂଆପଡ଼ା ଜିଲ୍ଲାର ସିନାପାଲି ଦାଦନ ଶ୍ରମିକଙ୍କ ପାଇଁ ବହୁ ଚର୍ଚ୍ଚିତ । ଏହା ଛଡ଼ା ଏହି ଜିଲାର ଅନ୍ୟାନ୍ୟ ଅଞ୍ଚଳର ଗରିବ ଲୋକମାନେ କାମ ପାଇଁ ଦାଦନ ରୂପେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ,ଗୁଜୁରାଟ, ଗୋଆ, ଭୋପାଳ, କରିମନଗର, ହାଇଦ୍ରାବାଦ, ନାଗପୁର, ଆଶାପୁରମ, ବିଜେୱାଡା, ଖମାମ, ଗୁଣ୍ଠୁର, ବମ୍ବେ ସମେତ ଅନେକ ରାଜ୍ୟର ସହରକୁ ଯାଇଥାନ୍ତି । ଏହି ଦାଦନ ଶ୍ରମିକଙ୍କ ପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଆଇନ ହେବା ଅତ୍ୟନ୍ତ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ବିଭିନ୍ନ ଦଲାଲଙ୍କ ଦ୍ୱାରା ପ୍ରଲୋଭିତ ହୋଇ ଦାଦନ ରୂପେ କାମ କରିବା ଲାଗି ଅନ୍ୟ ରାଜ୍ୟକୁ ଯିବା ପୂର୍ବରୁ ପ୍ରତି ପଞ୍ଚାୟତରେ ଶ୍ରମିକ ମାନଙ୍କ ଠିକଣା, କେଉଁଠିକୁ ସେମାନେ କାମ କରିବା ପାଇଁ ଯାଉଛନ୍ତି, କେଉଁ ଠିକାଦାର ଶ୍ରମିକ ମାନଙ୍କୁ କେଉଁ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ନେଉଛନ୍ତି ତାହାର ସମ୍ପୂର୍ଣ୍ଣ ପଞ୍ଜିକରଣ ବ୍ୟବସ୍ଥା ରହିବା ଆବଶ୍ୟକ ଏଥି ନେଇ ଏକ ଆଇନ ପ୍ରଣୟନ ହେବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ପଲ୍ଲୀ ଜାଗରଣ ସ୍ୱେଚ୍ଛାସେବୀ ସଙ୍ଗଠନର ସମ୍ପାଦକ ମେଘନାଦ ଖର୍ସଲ ପ୍ରକାଶ କରିଛନ୍ତି । ସେହିପରି ଦାଦନ ଶ୍ରମିକଙ୍କୁ ଚାଲାଣ କରୁଥିବା ଦଲାଲ ମାନେ ତାଙ୍କର ପଞ୍ଜିକରଣ ବାଧ୍ୟତା ମୂଳକ ହେବା ସହ ବେନିୟମ ଚାଲାଣ କରୁଥିବା ଦାଦନ ଦଲାଲ ଓ ସର୍ଦ୍ଦାରମାନଙ୍କ ଉପରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବାପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ହେବା ଆବଶ୍ୟକ ବୋଲି ନାରୀ ନେତ୍ରୀ ଦୀପ୍ତିମୟୀ ନାଏକ ପ୍ରକାଶ କରିଛନ୍ତି । ଦାଦନ ମୁକ୍ତ ଜିଲ୍ଲା ଜିଲ୍ଲା ଗଠନ ନେଇ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ବିଭିନ୍ନ ସମୟରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ବାସ୍ତବରେ ଜିଲ୍ଲାପାଳଙ୍କ ଉଦ୍ୟମକୁ ସବୁଠି ପ୍ରଶଂସା କରାଯାଉଛି । ଜିଲ୍ଲାପାଳ ଯେଉଁ ଉଦେ୍ଦଶ୍ୟ ନେଇ ମହତ କାର୍ଯ୍ୟ କରୁଛନ୍ତି ତାକୁ ସ୍ଥାନୀୟ ପ୍ରଶାସନ କାର୍ଯ୍ୟକାରି କରୁନାହାନ୍ତି । ଯାହା ଫଳରେ ଦାଦନ ଶ୍ରମିକ ସମସ୍ୟା ଜଟିଳ ହେବାରେ ଲାଗିଛି । କିଛି ପ୍ରଶାସନିକ ଅଧିକାରୀ ଶ୍ରମିକ ଦଲାଲ ଓ ସର୍ଦ୍ଦାର ମାନଙ୍କ ସହିତ ସଲାସୁତୁରା କରି ଏହି ବେପାର ଚଳାଇଥିବା ବେଳେ କୌଣସି ଅଙ୍କୁଶ ରହୁ ନାହିଁ । ଜାହା ଫଳରେ ଖୋଲମ ଖୋଲା ବେଧଡକ ଦାଦନ ଚାଲାଣ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ବେଶ୍ ଚର୍ଚ୍ଚା ହେଉଛି ।