ବାଉଁଶ ଚାଷକୁ ପ୍ରୋତ୍ସାହନ କର୍ମଶାଳା
ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ବନବିଭାଗ ମୁଖ୍ୟ କାର୍ଯ୍ୟାଳୟ, ଅରଣ୍ୟ ଭବନର ସମ୍ମିଳନୀ କକ୍ଷଠାରେ ବାଉଁଶ ଚାଷକୁ ପ୍ରୋସôାହନ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଓଡିଶା ବାଉଁଶ ଉନ୍ନୟନ ସଂସ୍ଥା ପକ୍ଷରୁ ବାଉଁଶ ଉଦ୍ୟୋଗୀ, ବାଉଁଶ ଶିଳ୍ପୀ, ବାଉଁଶ କାରିଗର ତଥା ବାଉଁଶ ଚାଷୀଙ୍କୁ ନେଇ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ସୁରେଶ ପନ୍ଥ କର୍ମଶାଳାକୁ ଉଦ୍ଘାଟନ କରି କହିଲେ ଯେ ଉତ୍ପାଦକମାନଙ୍କୁ ଗ୍ରାହକଙ୍କ ସହିତ ସୁଗମ ଭାବରେ ସଂଯୋଗ କରିବା ଏହି କର୍ମଶାଳାର ଲକ୍ଷ୍ୟ । ବାଉଁଶ ଉତ୍ପାଦଗୁଡିକ ପାଇଁ ଉନ୍ନତ ବଜାର ସୃଷ୍ଟି ଏବଂ ଲାଭଦାୟକତା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
କର୍ମଶାଳାରେ କାମ୍ପା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜି. ରାଜେଶ, ଓଡିଶା ବାଉଁଶ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ସ୍ୱୟମ୍ ମଲ୍ଲିକ, କାର୍ତ୍ତିକ ଭି ଯୋଗ ଦେଇଥିଲେ । କର୍ମଶାଳାରେ ସର୍ବମୋଟ ୩୪ଟି ସଂସ୍ଥା ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି କାରିଗର ବାଉଁଶ ଉତ୍ପାଦିତ ଜିନିଷଗୁଡିକ ସେଠାରେ ପ୍ରଦର୍ଶନ କରିଥିଲେ । ବାଉଁଶ କ୍ଷେତ୍ରକୁ ଆଗକୁ ନେବା ପାଇଁ ଅଂଶୀଦାରମାନଙ୍କର ଦୃଷ୍ଟିକୋଣ ଏବଂ ସୁଚିନ୍ତିତ ମତାମତ ପ୍ରକାଶ କରିବା ପାଇଁ ମୂଲ୍ୟବାନ ସୁଯୋଗ ପ୍ରଦାନ କରାଯାଇଥିଲା । ଶେଷରେ ଓଡିଶା ବାଉଁଶ ଉନ୍ନୟନ ସଂସ୍ଥାର ଉପ ସଂଯୋଜିକା ଶ୍ରୀମତୀ କିରଣବାଳା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।