ସେବା ଶିବିର ଉଦ୍ଘାଟନ କଲେ ରାଜ୍ୟପାଳ

 ପୁରୀ/ଭୁବନେଶ୍ୱର  : ରଥଯାତ୍ରା ଅବସରରେ ସେବା କରିବା ଏକ ଦିବ୍ୟ ସୁଯୋଗ । ଶ୍ରୀକ୍ଷେତ୍ର ପୁରୀ ଠାରେ ପୃଥିବୀ ପ୍ରସିଦ୍ଧ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଆଜି ପୁରୀ ଟାଉନ୍ ହଲ୍ ଠାରେ ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ୍, ଭାରତ ସ୍କାଉଟ୍ସ୍ ଆଣ୍ଡ୍ ଗାଇଡ୍ସ୍ ଏବଂ ଭାରତୀୟ ରେଡକ୍ରସ ସୋସାଇଟିର ସେବା ଶିବିରକୁ ଉଦଘାଟନ କରି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଏହା କହିଛନ୍ତି । ରାଜ୍ୟପାଳ କହିଥିଲେ ଯେ, ପବିତ୍ର ରଥଯାତ୍ରା ସମୟରେ ସ୍ୱେଚ୍ଛାସେବୀ ସେବା ଶିବିରଗୁଡିକ ନିଃସ୍ୱାର୍ଥପର ସେବାର ଗର୍ବିତ ପରମ୍ପରାକୁ ପ୍ରତିଫଳିତ କରେ ଏବଂ ଜାତୀୟ ସଂହତି, ବିବିଧତାରେ ଏକତା ଏବଂ ମାନବୀୟ କରୁଣାର ମୂଲ୍ୟବୋଧକୁ ପ୍ରକାଶ କରିଥାଏ । ବାସ୍ତବରେ ମାନବ ସେବା ହିଁ  ଈଶ୍ୱରଙ୍କ ସେବା ବୋଲି ରାଜ୍ୟପାଳ କହିଥିଲେ ।
ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ୍ ଚଳିତ ବର୍ଷ ୩୫ତମ ଜାତୀୟ ସେବା ଶିବିର ପରିଚାଳନା କରୁଛି । ସେହିପରି ଭାରତ ସ୍କାଉଟ୍ସ୍ ଆଣ୍ଡ୍ ଗାଇଡ୍ସ୍ ଗତ ୩୦ ବର୍ଷ ଧରି ଏବଂ  ଭାରତୀୟ ରେଡ଼କ୍ରସ ସୋସାଇଟି ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରଥଯାତ୍ରା ସମୟରେ ଉତ୍ସର୍ଗୀକୃତ ସେବା ପ୍ରଦାନ କରି ଆସୁଛନ୍ତି । ଏ ଦିଗରେ ସ୍ୱେଚ୍ଛାସେବୀମାନଙ୍କର ପ୍ରତିବଦ୍ଧତାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ଶିବିରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ, ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଆଣ୍ଡ୍ ଗାଇଡ୍ସ୍ ଷ୍ଟେଟ୍ ଚିଫ୍ କମିଶନର କାଳୀ ପ୍ରସାଦ ମିଶ୍ର, ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ୍ ଓଡିଶା ଷ୍ଟେଟ ସେଣ୍ଟରର ଅବୈତନିକ ସେକ୍ରେଟାରୀ ନିଧି ରାଉତରାୟ, ଭାରତୀୟ ରେଡ଼କ୍ରସ ସଂସ୍ଥା, ଓଡିଶା ରାଜ୍ୟ ଶାଖାର ଅବୈତନିକ ସେକ୍ରେଟାରୀ ଗଣେଶ ଚନ୍ଦ୍ର ପାତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ ।