ସ୍ମାର୍ଟ ଟିକେଟିଂର ବଢୁଛି ଚାହିଦା : ଏଟିଭିଏମ ବ୍ୟବହାରରେ ଉଲ୍ଲେଖନୀୟ ସଫଳତା

 ଭୁବନେଶ୍ୱର  : ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ସ୍ୱୟଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍ (ଏଟିଭିଏମ) ବ୍ୟବହାରରେ ଯଥେଷ୍ଟ ବୃଦ୍ଧି ରେକର୍ଡ କରିଛି ଯାହା ଯାତ୍ରୀ ସୁବିଧା ଏବଂ ଡିଜିଟାଲ୍ ଟିକେଟିଂ ପ୍ରତି ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ସୁଦୃଢ଼ କରିଅଛି  । ବିଭିନ୍ନ ରେଳ ଷ୍ଟେସନରେ ସୁବିଧା ପ୍ରଦାନ କରାଯାଇଥିବା ଏଟିଭିଏମ ଗୁଡ଼ିକ ହେଉଛି ଟଚ୍ ସ୍କ୍ରିନ୍-ଆଧାରିତ କିଓସ୍କ ଯାହା ଯାତ୍ରୀମାନଙ୍କୁ ଅଣସଂରକ୍ଷିତ ଏବଂ ପ୍ଲାଟଫର୍ମ ଟିକେଟ୍ କିଣିବାକୁ ସହାୟକ କରୁଥିବାବେଳେ ମାସିକ ଏବଂ ତ୍ରୟମାସିକ ସିଜନ୍ ଟିକେଟ୍ ନବୀକରଣ କରିବାକୁ ମଧ୍ୟ ସକ୍ଷମ କରିଥାଏ  । ଏହି ମେସିନଗୁଡ଼ିକ ସ୍ମାର୍ଟ କାର୍ଡ ଏବଂ ଛଜ କୋଡ୍-ଆଧାରିତ ଟଚ ଓ ପେମେଣ୍ଟ ସମେତ ବହୁବିଧ ପେମେଣ୍ଟ (ପାଉଣା) ବିକଳ୍ପ ପ୍ରଦାନ କରିଥାଏ ଯାହା ପାରମ୍ପରିକ ଟିକେଟ୍ କାଉଣ୍ଟରରେ ଧାଡ଼ି ଏବଂ ଅପେକ୍ଷା ସମୟକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିଥାଏ  । ୨୦୨୪-୨୫ ଆର୍ଥିକ ବର୍ଷରେ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଏଟିଭିଏମ ମାଧ୍ୟମରେ ୨୭,୨୪,୨୯୮ ଟିକେଟ୍ ଜାରି କରିଥିଲା ଯାହା ୪୧,୨୮,୮୬୬ ଯାତ୍ରୀଙ୍କୁ ସେବା ଯୋଗାଇଥିଲା ଏବଂ ଏଥିରୁ ଦେୟ ବାବଦରେ ୩୦.୬୯ କୋଟି ରୋଜଗାର କରିଥିଲା  । କେବଳ ୨୦୨୫-୨୬ (ଏପ୍ରିଲରୁ ଜୁନ୍) ପ୍ରଥମ ତ୍ରୟମାସିକରେ, ଏଟିଭିଏମ ବ୍ୟବହାର ପୂର୍ବ ବର୍ଷର ସମାନ ସମୟ ତୁଳନାରେ ଏକ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ଯାହା ଜାରି ହୋଇଥିବା ଟିକେଟ ୫,୪୦,୪୪୭ ରୁ ୭,୯୭,୩୪୦ କୁ ବୃଦ୍ଧି ପାଇଛି, ଯାହା ୪୭.୫% ବୃଦ୍ଧି ଦର୍ଶାଇଛି  । ରାଜସ୍ୱ ଆୟ କ୍ଷେତ୍ରରେ ଏହି ଆଶ୍ଚର୍ଯ୍ୟଜନକ ବୃଦ୍ଧି ଆଂଶିକ ଭାବରେ ଏଟିଭିଏମ ଗୁଡ଼ିକର ବ୍ୟାପକ ଗ୍ରହଣ ଏବଂ ଉନ୍ନତ ଡିଜିଟାଲ୍ ପେମେଣ୍ଟ ସମନ୍ୱୟ ଦ୍ୱାରା ସମ୍ଭବ ହୋଇପାରିଛି  । ଏହି ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଏହାର ଏଟିଭିଏମ ନେଟୱାର୍କକୁ ବିସ୍ତାର କରିଛି  । ୨୦୨୪-୨୫ ଆର୍ଥିକ ବର୍ଷରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପରିସୀମା ମଧ୍ୟରେ ୧୯ ଷ୍ଟେସନରେ ୫୭ ଏଟିଭିଏମ  ବ୍ୟବସ୍ଥା କରାଯାଇଥିବାବେଳେ ୨୦୨୫-୨୬ ସୁଦ୍ଧା, ୨୨ଟି ଷ୍ଟେସନରେ ଏହି ସଂଖ୍ୟା ୭୨କୁ ବୃଦ୍ଧି ପାଇଅଛି ଯାହା ଯାତ୍ରୀମାନଙ୍କ ପାଇଁ ଅଧିକ ସୁବିଧା ଯୋଗାଇଛି  ।