ଝିଅକୁ ଉଦ୍ଧାର କରିବାକୁ ଯାଇ ମା'କୁ ଛୁରାମାଡ

 ବାରିପଦା : ବାରିପଦା ଭଞ୍ଜପୁର ଥାନା ମୁର୍ଗାବାଡି ଅଞ୍ଚଳରେ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ଘରେ ପଶି ମହିଳାଙ୍କୁ ଛୂରାରେ ଜଣେ ଦୁର୍ବୃତ୍ତ ଆକ୍ରମଣ କରିଛି  । ଫଳରେ ଗୁରୁତର ମହିଳାକୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି  । ମହିଳା ଜଣକ ହେଲେ ସମୀର ସାହୁଙ୍କ ସ୍ତ୍ରୀ ମମତା ସାହୁ । ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି  । ସୂଚନାଯୋଗ୍ୟ, ଦୃବୁର୍ତ୍ତ ଜଣକ ମୁହଁରେ ଗାମୁଛା ଘୋଡାଇ ଘର ମଧ୍ୟକୁ ପଶିଯାଇଥିଲା  । ଏହାକୁ ଦେଖି ମହିଳା ଜଣକ ପାଟି କରିବାରୁ ସେ ଘରେ ଥିବା ମହିଳାଙ୍କ ଝିଅ ବେକରେ ଛୂରୀ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲା  । ଏହା ଦେଖି ମହିଳା ଜଣକ ଝିଅକୁ ଉଦ୍ଧାର କରିବାକୁ ଯାଇ ଦୃବୁର୍ତ୍ତଙ୍କ ଛୂରାମାଡରେ ଆହତ ହୋଇଥିଲେ  । ଏଥିରେ ମହିଳାଙ୍କ ହାତ ଓ ଆଙ୍ଗୁଳିରେ ଗଭୀର କ୍ଷତ ସୃଷ୍ଟି ହୋଇଛି  । ପୁଲିସ ଖବରପାଇ ଅଞ୍ଚଳରେ ତଲାସୀ ଜାରୀ ରଖିଛି  । ଏନେଇ ଭଞ୍ଜପୁର ଥାନାଧିକାରୀ ଅଜୟ କୁମାର ଜେନା କହିଛନ୍ତି ଯେ ସମୀର ସାହୁଙ୍କ ଠାରୁ ଲିଖିତ ଅଭିଯୋଗ ପାଇଛୁ । ଆମେ ଏହି ଅଞ୍ଚଳରେ ସିସିଟିଭି ଯାଞ୍ଚ କରିବା ଆରମ୍ଭ କରିଛୁ ।  ସନ୍ଧାନୀ  କୁକୁର ଯାଇ ଘଟଣାଟି ଏବେ ତଦନ୍ତ ପରିସରଭୁକ୍ତ ରହିଥିବାରୁ ସବୁ ଦିଗକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି ।