ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ : ଭୁବନେଶ୍ୱରରେ ମୋହନ କଟକରେ ପ୍ରଭାତୀ କେନ୍ଦୁଝରରେ କେଭି
ଭୁବନେଶ୍ୱର : ସ୍ୱାଧୀନତା ଦିବସରେ କେଉଁ ମନ୍ତ୍ରୀ ଓ ଅଫିସର କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ଗୃହ ବିଭାଗ ପକ୍ଷରୁ ତାଲିକା ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ସେହିପରି କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଅଭିବାଦନ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି ।
ଅପରପକ୍ଷରେ ସମ୍ବଲପୁରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବଲାଙ୍ଗୀରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, କଳାହାଣ୍ଡିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କନ୍ଧମାଳରେ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପୁରୀରେ ଆଇନ୍ ମନ୍ତ୍ରୀ, ସୁନ୍ଦରଗଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ଅଭିବାଦନ ଗ୍ରହଣ କରିବେ ।
ଏତଦବ୍ୟତୀତ ଗଜପତିରେ ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଭଦ୍ରକରେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ନବରଙ୍ଗପୁରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ସୋନପୁରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଅନଗୁଳରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ରାୟଗଡ଼ାରେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ମୟୁରଭଞ୍ଜରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ଯେତେବେଳେକି ରାଉରକେଲାରେ ଉତ୍ତରାଞ୍ଚଳ ଆରଡ଼ିସି, ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡ଼ିସି, ବୌଦ୍ଧ, ବରଗଡ଼, ବାଲେଶ୍ୱର, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡ଼ା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, କୋରାପୁଟ, କେନ୍ଦ୍ରାପଡ଼ା, ମାଲକାନଗିରି, ନୂଆପଡ଼ା ଓ ନୟାଗଡ଼ରେ ଜିଲ୍ଲାପାଳମାନେ ଅଭିବାଦନ ଗ୍ରହଣ କରିବେ ।