ସାରାରାତି ବର୍ଷିଲା : ବୁଡ଼ିଲା ବେଙ୍ଗାଲୁରୁ
ବେଙ୍ଗାଲୁରୁ: ପ୍ରାକ୍ ମୌସୁମୀ ବର୍ଷାରେ ବୁଡ଼ିଲା ବେଙ୍ଗାଲୁରୁ ସହର । ରାତିସାରା ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ସମ୍ପୂର୍ଣ୍ଣ ବେଙ୍ଗାଲୁରୁ । ସ୍ଥିତି ଏମିତି ଯେ, ସକାଳ ପାଇବା ପରେ ଲୋକେ ଯାତାୟାତ ପାଇଁ ଟ୍ରାକ୍ଟର୍ ଓ ବୋଟ୍ର ସହାୟତା ଲୋଡ଼ିଥିଲେ । ରବିବାର ଦିନବେଳେ ବର୍ଷା ସାମାନ୍ୟ ଥିବାବେଳେ ରାତିରେ ଏହାର ଘନତ୍ୱ ବଢ଼ିଥିଲା । ସ୍ଥାନୀୟ ପାଣିପାଗ ସୂଚନା ଅନୁସାରେ ବେଙ୍ଗାଲୁରୁର ଅଧିକାଂଶ ଅଞ୍ଚଳରେ ୧୦୦ ଏମ୍ଏମ୍ର ବର୍ଷା ହୋଇଥିବାରୁ ଏଠାରେ ସ୍ଥିତି ଭୟାନକ ହୋଇଛି । ଦୁଆର ମୁହଁରେ ଅଣ୍ଟେ ଅଣ୍ଟେ ପାଣି ଜମି ରାସ୍ତା ଦେଖାଯାଉନି । ଖାଲି ରାସ୍ତାରେ କାହିଁକି ରାସ୍ତା ସହ ସମତଳ ଥିବା ଘର ତଥା ରାସ୍ତା ଲେବୁଲ୍ରୁ ଟିକେ ନିଚ୍ଚା ଘରେ ମଧ୍ୟ ପାଣି ପଶିଯିବାରୁ ଲୋକେ ନାକେଦମ ହୋଇଛନ୍ତି । ଏପରିକି ଲୋକେ ନିତ୍ୟକର୍ମରେ ଯାତାୟାତ ପାଇଁ ସମସ୍ୟା ଭୋଗିଛନ୍ତି । ଗଳିକନ୍ଦି, ଛକ, ବଜାର ସବୁଠି ଜଳବନ୍ଦୀ ଜୀବନ । ସେପଟେ ସହରର ଏଭଳି ସ୍ଥିତିରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ନିଦେ୍ର୍ଦଶ କ୍ରମେ ବିଭିନ୍ନ ସ୍ଥାନରେ ପହଞ୍ଚôଛନ୍ତି ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ଦଳ । ଟିମ୍ ପକ୍ଷରୁ ଉଚ୍ଚକ୍ଷମତା ସମ୍ପନ୍ନ ମୋଟର ବ୍ୟବହାର କରି ବିଭିନ୍ନସ୍ଥାନରୁ ପାଣି ନିଷ୍କାସନ କରାଯାଉଛି । କୋରମଙ୍ଗଳ, ଇନ୍ଦିରା ନଗର, ଶିଲ୍କ ରୋଡ୍ ଜଙ୍କ୍ସନ୍, ଇଲେକ୍ଟ୍ରୋନିକ୍ ସିଟି ଫ୍ଲାଏଓଭର୍ ରୋଡ୍ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଜଳ ନିଷ୍କାସନ ବିଳମ୍ବ ହେଉଥିବାରୁ ଟ୍ରାଫିକ୍ ସମସ୍ୟା ବଢ଼ିଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁ ବହୁ ଭାରୀଯାନ ମଧ୍ୟ ଯାତାୟାତ କରି ନପାରି ରାସ୍ତାରେ ହିଁ ଅଟକି ରହିବାରୁ ପାଣି ନିଷ୍କାସନ ବିଳମ୍ବର ଏହା ଆଉ ଏକ କାରଣ ପାଲଟିଛି । ବର୍ଷାର ଏପରି କରାଳ ରୂପ ଯୋଗୁଁ ଆଜି ବେଙ୍ଗାଲୁରୁ ବାସିନ୍ଦା ୧ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ବିଳମ୍ବରେ ନିଜ ନିଜ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି । ମୌସୁମୀ ଆସିବା ପୂର୍ବରୁ ଯଦି ଏଭଳି ଅବସ୍ଥା, ତେବେ ବର୍ଷା ଦିନେ ବେଙ୍ଗାଲୁରୁ ସ୍ଥିତି କ’ଣ ରହିବ ତାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଇଲେକ୍ଟ୍ରୋନିକ୍ ସିଟି ଫ୍ଲାଏଓଭର୍ରେ ଟିକିଏ ବର୍ଷାରୁ ପାଣି ଜମୁଥିବା ବେଳେ ଆଜି ଯେଉଁଭଳି ବର୍ଷା ହୋଇଛି ଫ୍ଲାଏଓଭର୍ ତଳଅବସ୍ଥା ଅଧା ବୁଡ଼ି ରହିଛି । ବାନରଘାଟ ରୋଡ୍ ସହ ସଂଯୁକ୍ତ ଜେପିନଗର, ହ୍ୱାଇଟ୍ ଫିଲ୍ଡ, ସାର୍ଜପୁରା ଆଦି ଅଞ୍ଚଳକୁ ଅନ୍ୟରାସ୍ତା ଗୁଡ଼ିକରେ ପାଣି ସମ୍ପୂର୍ଣ୍ଣ ଭାବେ ଭରି ରହିଥିବାରୁ ଏହି ସବୁ ଅଞ୍ଚଳରେ ମଧ୍ୟ ଯାତାୟାତ ବାଧାପ୍ରାପ୍ତ ହୋଇଛି ।