ସ୍ୱାଭାବିକ ହେଉନି ଗୃହ ; ଚାରି ଦିନ ହେଲା ଅଚଳ

ସ୍ୱାଭାବିକ ହେଉନି ଗୃହ ; ଚାରି ଦିନ ହେଲା ଅଚଳ

ଭୁବନେଶ୍ୱର : ମଣ୍ଡି ଓ ଚାଷୀଙ୍କ ସମସ୍ୟାକୁ ନେଇ ଗୃହ ପଡୁଛି ଉଠୁଛି । ବିରୋଧୀ ବିଜେଡ଼ି ଓ କଂଗ୍ରେସ ତୁମୁଳ ହଟ୍ଟଗୋଳ କରୁଥିବାରୁ ଗୃହ ଚାଲିପାରୁନାହିଁ । କ୍ରମାଗତ ଚତୁର୍ଥ ଦିନ ପାଇଁ ଗୃହର ପ୍ରଥମାର୍ଦ୍ଧ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି । ସର୍ବଦଳୀୟ ବୈଠକରେ ବି ଗୃହ ସ୍ୱାଭାବିକ ହେବାର ବାଟ ଫିଟି ପାରୁନାହିଁ । ଆଉ ଦୁଇଟି କାର୍ଯ୍ୟଦିବସ ପରେ ବଜେଟ ଅଧିବେଶନର ପ୍ରଥମାର୍ଦ୍ଧ ସରିଯିବ । କିନ୍ତୁ ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ଆଉ ଦୁଇଦିନ ଗୃହ ଅଚଳ ହେଲେ ଆଶ୍ଚର୍ଯ୍ୟ ହେବାର ନାହିଁ । 
ରାଜ୍ୟରେ ଧାନ ବିକ୍ରି ଓ ଚାଷୀ ସମସ୍ୟାକୁ ନେଇ କ୍ରମାଗତ ଚତୁର୍ଥ ଦିନ ପାଇଁ ଗୃହ ଅଚଳ କରିଛନ୍ତି ବିରୋଧୀ । ଆଜି ମଧ୍ୟ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ବିଧାନସଭାର ପ୍ରଥମାର୍ଦ୍ଧ ଅଚଳ ରହିଛି । ପ୍ରଥମାର୍ଦ୍ଧରେ ଗୃହ ମାତ୍ର ୧୦ ମିନିଟ୍‌ ଚାଲିପାରିଥିଲା । ସେହିପରି ଅପରାହ୍ନରେ ହଟ୍ଟଗୋଳ ଭିତରେ ଗୃହ ମାତ୍ର ୧୨ ମିନିଟ୍‌ ଚାଲିଥିଲା ।

ଗତ ୩ ଦିନ ପରି ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟମାନେ ପ୍ଲାକାର୍ଡ, ପୋଷ୍ଟର ଧରି ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ । ଧାନ କିଣା ଓ ଚାଷୀ ସମସ୍ୟାକୁ ନେଇ ନାରାବାଜି କରି ଗୃହ କମ୍ପାଇଥିଲେ ବିରୋଧୀ । ନିଜ ନିଜ ଆସନକୁ ଫେରିଯିବାକୁ ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ବିରୋଧୀ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ପ୍ରଶ୍ନକାଳ ଚାଲିଥିବା ବେଳେ ବିରୋଧୀ ସଦସ୍ୟ ପଏଣ୍ଟ ଅଫ ଅର୍ଡର ମାଗିଥିଲେ  । କିନ୍ତୁ ବାଚସ୍ପତି ଅଗ୍ରାହ୍ୟ କରିଥିଲେ । ବିରୋଧୀ ସଦସ୍ୟମାନେ ଗୃହରେ ତୁମୁଳ ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ସୁରମା ପାଢ଼ୀ ପ୍ରଥମେ ୧୦ଟା ୩୬ ରୁ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖିଥିଲେ । ଗୃହକାର୍ଯ୍ୟ ପୁନର୍ବାର ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ପୂର୍ବଭଳି ହଟ୍ଟଗୋଳ ଆରମ୍ଭ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୧ଟା ୩୪ରୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ । ଅପରାହ୍ନରେ ଅନୁରୂପ ସ୍ଥିତି ସୃଷ୍ଟି ହୋଇଥିଲା । ଗୃହକାର୍ଯ୍ୟ ଆରମ୍ଭ ହେବାପରେ ବିରୋଧୀ ହାଲାବୋଲ କରିବାରୁ ଗୃହ ଚାଲିବା ସମ୍ଭବପର ହୋଇନଥିଲା । ହଟ୍ଟଗୋଳ ମଧ୍ୟରେ ଗୃହ ମାତ୍ର ୧୨ ମିନିଟ୍‌ ଚାଲିବା ପରେ ଆସନ୍ତାକାଲି ପୂର୍ବାହ୍ନ ସାଢେ଼ ୧୦ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ କରିଦେଇଥିଲେ ।