ହଇଜା ନିରାକରଣ ସଚେତନତା କାର୍ଯ୍ୟକ୍ରମ

 କାଳିଆପାଣି: ଖଣି ପ୍ରଭାବିତ ୫ ପଞ୍ଚାୟତର ଜନପ୍ରତିନିଧି ମାନଙ୍କ ଦ୍ୱାରା କାଳିଆପାଣି ଠାରେହଇଜା ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାଳିଆପାଣି ପଂଚୟତ, ରାଁସୋଳ, କଅଁସ, ଚିଙ୍ଗୁଡ଼ିପାଳ ଓ କାଙ୍କଡ଼ପାଳ ପଞ୍ଚାୟତ ସରପଞ୍ଚ ଏବଂ ସମିତିସଭ୍ୟ ଏଥିରେ ସାମିଲ ହୋଇଥିଲେ । ରାଁସୋଳ ପଞ୍ଚାୟତର କଲରଙ୍ଗୀଅତା ମୌଜା ଅନ୍ତର୍ଗତ ସୌରିକ ଦୁର୍ଗାପୂଜା ପଡିଆରେ ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ମାଙ୍କିଡିଆ ବସ୍ତିର ସମସ୍ତ ମହିଳା ଓ ପୁରୁଷଙ୍କୁ ହଇଜା ରୋଗରୁ କିପରି ଦୁରେଇ ରହିପାରିବା ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ମାଙ୍କିଡିଆ ବସ୍ତି ନିକଟରେ ଥିବା ଖେଳ ପଡିଆ ଏବଂ ଯାତ୍ରା ପଡିଆରେ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଟ୍ରକ ଡ୍ରାଇଭର ଯିବାଆସିବା କରୁଛନ୍ତି । ଏଠାରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଡ୍ରାଇଭର ହେଲଫର ନିକଟରେ ଥିବା ଝରଣା ଓ ଡମଶାଳ ନାଳକୁ ଶୌଚ ହେବାକୁ ଯାଉଛନ୍ତି । ଏଠାକାର ପରିବେଶକୁ ଅତି ମାତ୍ରାରେ ଦୂଷିତ କରୁଛନ୍ତି । ଯାହା ଫଳରେ ଏଠାରେ ହଇଜା ବା ଝାଡାବାନ୍ତି ରୋଗ ବ୍ୟାପିବାର ଅଧିକ ସମ୍ଭାବନା ଦେଖାଦେଇଛି । ତେଣୁ ଉକ୍ତ ଯାତ୍ରା ପଡିଆ ଏବଂ ଖେଳ ପଡିଆରେ ରହୁଥିବା ଟ୍ରକ ଗୁଡିକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିନେବାକୁ ପ୍ରଶାସନକୁ ନିବେଦନ କରାଯାଇଛି । କାର୍ଯ୍ୟକ୍ରମରେ ଶ୍ରମିକ ନେତା ଭରତ ମହାନ୍ତ, ପ୍ରଭାତ ପ୍ରଧାନ, ମୋନଜ ବେହେରା, ଜିଲ୍ଲାପରିଷଦ ସଭ୍ୟା ଜେମା ଚାକ୍ଷୀ ପ୍ରମୁଖ ଉପସ୍ଥିତ ଥିଲେ ।