ମେଡିକାଲ କଲେଜ ପ୍ରତିଷ୍ଠା ଦାବି : ୨୩ରେ କେନ୍ଦ୍ରାପଡା ବନ୍ଦ ଡାକରା
କେନ୍ଦ୍ରାପଡା : ଦିନପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ଗଡି ଗଡି ଚାଲିଛି । ପ୍ରତିଶ୍ରୁତିର ଅଭାବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀଙ୍କ ଘନଘନ କେନ୍ଦ୍ରାପଡା ଜିଲ୍ଲା ଗସ୍ତ ଚାଲିଛି କିନ୍ତୁ ଯେଉଁ ଦୁଃଖିଆକୁ ସେହି ଦୁଃଖିଆ । ବିକାଶର ନାଁ ଧରୁନି । ଦୀର୍ଘ ବର୍ଷ ହେବ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆନେ୍ଦାଳନ ଚାଲିଛି । ଡବଲ ଇଞ୍ଜିନ ସରକାରର ମନ୍ତ୍ରୀମାନେ କହୁଛନ୍ତି ଜିଲ୍ଲାରେ ମେଡିକାଲ କଲେଜ ନିଶ୍ଚୟ ହେବ । କିନ୍ତୁ କ୍ଷୋଭର ବିଷୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଙ୍ଗ ଗତକାଲି ଘୋଷଣା କରିଛନ୍ତି ରାଜ୍ୟରେ ୯ଟି ମେଡିକାଲ କଲେଜ ହେବ । ନାମବି ଘୋଷଣା କରିଛନ୍ତି । ସେଥିରେ କେନ୍ଦ୍ରାପଡାର ନାଁ ନାହିଁ । ଡବଲ ଇଞ୍ଜିନ ସରକାର କେନ୍ଦ୍ରାପଡା ଜିଲ୍ଲାବାସୀଙ୍କୁ ଭଣ୍ଡାଉଛନ୍ତି । ଏହା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହାସପାତାଳ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକରେ ମତପ୍ରକାଶ ପାଇଛି । ସ୍ଥାନୀୟ ରିଡିଙ୍ଗ ରୁମରେ ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରତି ମୋହନ ସରକାରଙ୍କ ଏପରି ବୈମାତୃକ ମନୋଭାବ ବିରୁଦ୍ଧରେ ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦଳ ମତ ସମସ୍ତଙ୍କୁ ନେଇ ଆସନ୍ତା ଜୁଲାଇ ୨୩ତାରିଖରେ ୧୨ଘଣ୍ଟିଆ କେନ୍ଦ୍ରାପଡା ଜିଲ୍ଲା ବନ୍ଦ ପାଇଁ ଘୋଷଣା କରାଯାଇଛି । ଏହାକୁ ସଫଳ କରିବା ପାଇଁ ସମସ୍ତ ବ୍ଲକ୍ରେ ପ୍ରସ୍ତୁତି ବୈଠକ କରିବା ସହିତ ଆସନ୍ତା ଜୁଲାଇ ୧୧ ତାରିଖ ଦିନ କେନ୍ଦ୍ରାପଡା ସହରରେ ଏକ ଗଣ କନଭେନସନ ଅନୁଷ୍ଠିତ ହେବ ।ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ରମଣିରଞ୍ଜନ ରାଉତରାୟ, ଆବାହକ ମଣ୍ଡଳୀ ସଦସ୍ୟ ଗୟାଧର ଧଳ, ମୁକ୍ତାର ଖାଁ, ଆଦିକନ୍ଦ ରାଉଳ, ଭାଗିରଥି ଜେନା, ଅନ୍ୟନ୍ୟ କର୍ମକର୍ତ୍ତା ବୈଷ୍ଣବ ସ୍ୱାଇଁ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ଗୋଲକ ଚନ୍ଦ୍ର ମହାଭୋଇ, କୁଞ୍ଜବିହାରି ଦାସ, ଡ. ଚୈତନ୍ୟ ଚରଣ ପରିଡା, ଧୀରେନ୍ଦ୍ର କୁମାର ବେହେରା, ପ୍ରମୋଦ ରାଉତ, ଶେଖ୍ ହିପସାର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ । ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାବାସୀ ସର୍ବାନ୍ତକରଣ ବନ୍ଦକୁ ସଫଳ କରିବା ପାଇଁ ବୈଠକରେ ନିବେଦନ କରାଯାଇଛି ।