‘ହର ଘର ତିରଙ୍ଗା, ହର ଘର ସ୍ୱଚ୍ଛତା’ ଅନୁଷ୍ଠିତ
ବୌଦ୍ଧ: ଜିଲ୍ଲା ପଞ୍ଚାୟତ ଭବନରେ ହର ଘର ତିରଙ୍ଗା ହର ଘର ସ୍ୱଚ୍ଛତା କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲା ଜଳ ପରିମଳ ମିଶନ ଏବଂ ଜିଲ୍ଲା ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ବୌଦ୍ଧ ବିଡିଓ ଯୁଧିଷ୍ଠିର ମେହେର ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଅଗଷ୍ଟ ୮ ତାରିଖରୁ ଆସନ୍ତା ଅଗଷ୍ଟ ୧୫ ସ୍ୱାଧିନତା ଦିବସ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଖସଡା ପ୍ରସ୍ତୁତ ହୋଇଥିବା ବେଳେ, ମୁଖ୍ୟତଃ ସ୍ୱଚ୍ଛତା ଡ୍ରାଇଭ, ସାମୂହିକ ସଫେଇ, ବୃକ୍ଷ ରୋପଣ, ହର ଘର ତ୍ରିରଙ୍ଗା, ସାର୍ବଜନୀନ ସ୍ଥାନ ପୋଖରୀ, ନଳକୂପ ସ୍ଥାନ ଗୁଡିକୁ ପରିଷ୍କାର, ପରିଚ୍ଛନ୍ନ ରଖିବା, ପୋଖରୀ ଚାରିପଟେ ଗଛ ଲଗାଇବା, ପଂଚାୟତ, ସ୍କୁଲ, ଅଙ୍ଗନବାଡି ପରିସର ସଫେଇ, ପାଣିର ଅପଚୟକୁ ରୋକିବା, ଗ୍ରାମରୁ ସହର ଯାଏ ସଫେଇ, ସଚେତନତା ବାର୍ତ୍ତା ସମସ୍ତଙ୍କୁ ଦେବା ସହ ଘରେ ଘରେ ତ୍ରିରଙ୍ଗାକୁ ବ୍ୟାପକ ଭାବରେ ଆୟୋଜନ ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଜିଲ୍ଲାକୁ ସ୍ୱଚ୍ଛ ରଖିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ଉପରେ ଆଲୋକପାତ କରିବା ସହ ଆମ ଦେଶ ସ୍ୱାଧୀନ ହେବାର ଶୁଭ ମୁହୂର୍ତ୍ତରେ ସରକାରଙ୍କ ବିଭିନ୍ନ ଯୋଜନା ପାଳନ କରିବା ପାଇଁ ଆହ୍ୱାନ କରିଥିଲେ । ଏହି ଉପଲକ୍ଷେ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମକୁ ପିପିଟି ମାଧ୍ୟମରେ ଜିଲ୍ଲା ସ୍ୱଛତା ପରାମର୍ଶ ଦାତା ଆର୍ତ୍ତତ୍ରାଣ ପାଢୀ ପ୍ରଦର୍ଶିତ କରି ଏହି ବିଷୟରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବୌଦ୍ଧ ଯୁଧିଷ୍ଠିର ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।