ମଦ୍ୟପ ବାପାର ଉନ୍ମତ୍ତକାଣ୍ଡ : ପୁଅକୁ ଛୁରୀରେ ଭୁଷି ହତ୍ୟା ଉଦ୍ୟମ

ହିଞ୍ଜିଳିକାଟୁ:  ଜଣେ ମଦ୍ୟପ ବାପା ମଦ୍ୟପାନ କରି ସ୍ତ୍ରୀ ସହ ଛଗଡା କରିବା ପରେ ଉତ୍ୟକ୍ତ ହୋଇ ନିଜ ସାନପୁଆକୁ ଏକ ଧାରୁଆ ଛୁରୀରେ ଭୁଷି ହତ୍ୟା ଉଦ୍ୟମ କରିଛି । ଏଭଳି ଏକ ଘଟଣା  ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମରେ ଦେଖିବାକୁ ମିଳିଛି । ଆକ୍ରମଣରେ ଗୁରୁତର ଆହତ ଜଣଙ୍କ ହେଲେ ମନୋଜ ବେହେରାଙ୍କ ନାବାଳକ ପୁଅ ସୁମନ ବେହେରା । ଘଟଣା ନେଇ ଆହତଙ୍କ ମାଆ ବାସନ୍ତି ବେହେରା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ  ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।
       ପ୍ରକାଶ ଯେ, ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ମନୋଜ ବେହେରା ଓ ସ୍ତ୍ରୀ ବାସନ୍ତିଙ୍କ  ମଧ୍ୟରେ ପାରିବାରିକ ଘଟଣାକୁ କେନ୍ଦ୍ରକରି ଗତ ୫ ବର୍ଷ ହେଲା କଳହ ଲାଗି ରହିଥିଲା । ବିଭିନ୍ନ ସମୟରେ ଛୋଟ ଛୋଟ ଘଟଣାକୁ କେନ୍ଦ୍ର କରି ମନୋଜ, ବାସନ୍ତିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଗତ ୭ ମାସ ପୂର୍ବେ ସ୍ୱାମୀଙ୍କ ନିର୍ଯାତନା ସହ୍ୟ କରିନପାରି ମହିଳା ଜଣଙ୍କ ୨ପୁଅ ଶିବ ଓ ସୁମନଙ୍କୁ ସାଥିରେ ନେଇ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଭୁବନେଶ୍ୱର ଚାଲି ଯାଇଥିଲେ । ଶନିବାର ମନୋଜ ଭୁବନେଶ୍ୱରରେ ପହଞ୍ଚି ଭବିଷ୍ୟତରେ ଏଭଳି ଘଟଣା ନକରିବାକୁ କହିବା ସହ ସ୍ତ୍ରୀ ଓ ୨ ପୁଅଙ୍କୁ ସାଙ୍ଗରେ ନେଇ ସୋମବାର ଗାଁକୁ ଫେରିଥିଲେ । ମଙ୍ଗଳବାର କୈାଣସି କଥାକୁ କେନ୍ଦ୍ର କରି ସ୍ୱାମୀ - ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗିଥିଲା । ଏଥିରେ ମନୋଜ ଉତ୍ୟକ୍ତ ହୋଇ ୨ ପୁଅକୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ । ବାପାଙ୍କ ହତ୍ୟା ଧମକ ଶୁଣି ୨ ପୁଅ ଘରୁ ବାହାରକୁ ଚାଲି ଯାଇଥିଲେ । ବୁଧବାର ମନୋଜ ମଦ ନିଶାରେ ସାନପୁଅ ସୁମନଙ୍କୁ ଗାଁରେ ଖେଳୁଥିବା ଦେଖି ଧରିଥିବା ଏକ ଧାରୁଆ ଛୁରୀରେ ମୁହଁକୁ ଭୁଷି ଦେଇଥିଲେ । ଆକ୍ରମଣରେ ନାବାଳକ ପୁଅ ସୁମନ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଯିବାରୁ ମନୋଜ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଖବର ପାଇ ବାସନ୍ତି ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ସୁମନ୍ତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ପରେ ଘଟଣା ନେଇ ବାସନ୍ତି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।