ହସ୍ପିଟାଲରେ ଷ୍ଟାଫ୍‌ ନର୍ସ ମୃତ

ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଜଣେ ଷ୍ଟାଫ୍‌ ନର୍ସଙ୍କ ଶୁକ୍ରବାର ରାତିରେ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ଗଞ୍ଜାମ ଜିଲା ସାନଖେମୁଣ୍ଡିର ଶୁଭସ୍ମିତା ରାଉତ ଓରଫ ସୋନାଲି (୨୨)। ମୃତ୍ୟୁର କାରଣକୁ ନେଇ ରହସ୍ୟ ଲାଗିରହିଛି। ଖବର ପାଇ ପରିବାର ଲୋକେ ଶନିବାର ଭୁବନେଶ୍ବର ଆସି ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ଏମ୍‌ଏଲ୍‌ସି ରିପୋର୍ଟ ଆଧାରରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ଘଟଣସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍‌ ଦ୍ବାରା ତଦନ୍ତ କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ଶୁଭସ୍ମିତାଙ୍କ ମୋବାଇଲକୁ ପୋଲିସ ଜବତକରି ଖୋଳତାଡ଼ ଚଳାଇଛି। ଏଥିସହ ପୋଲିସ ସୋନାଲି ରହୁଥିବା ନୀଳାଦ୍ରିବିହାର ଏଟିଏମ୍‌ ଛକସ୍ଥିତ ଲେଡିଜ୍‌ ହଷ୍ଟେଲର ଅନ୍ତେବାସୀଙ୍କୁ ମଧ୍ୟ ପଚରାଉଚରା କରିଛି। କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ତୁଷାରକାନ୍ତ ସେଠୀ କହିଛନ୍ତି।
ସୂଚନା ଅନୁଯାୟୀ, ଶୁକ୍ରବାର ଶୁଭସ୍ମିତାଙ୍କର ରାତି ଡ୍ୟୁଟି ଥିଲା। ସେ ରାତି ପ୍ରାୟ ୨ଟାରେ ହସ୍ପିଟାଲର ବାଥ୍‌ରୁମ୍‌ ଯାଇ ଆଉ ଫେରି ନ ଥିଲେ। ସହକର୍ମୀମାନେ ସେଠାକୁ ଯାଇ ଦେଖିଲେ ଯେ, ବାଥ୍‌ରୁମ୍‌ ଭିତର ପଟୁ ବନ୍ଦ ଥିଲା। ଭିତରେ ଶୁଭସ୍ମିତା ଅଚେତ ହୋଇ ପଡିଥିବା ଦେଖି ଉଦ୍ଧାର କରି ବେଡ୍‌କୁ ନେଇଥିଲେ। ପରିବାର ଲୋକେ ପହଞ୍ଚତ୍ ହସ୍ପିଟାଲ ବେଡ୍‌ରେ ଶୁଭସ୍ମିତାଙ୍କ ହାତରେ ଇଞ୍ଜେକ୍ସନ ଫୋଡା ଚିହ୍ନ ରହିଥିବାବେଳେ ପାଟିରେ ଏକ ପାଇପ୍‌ ପଶି ରହିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ, ହସ୍ପିଟାଲର କେତେଜଣ ଅଧିକାରୀ ଶୁଭସ୍ମିତାଙ୍କୁ ନିର୍ଯାତନା ଦେଉଥିଲେ। ନିୟମିତ ରାତି ଡ୍ୟୁଟି ଦିଆଯାଉଥିବାରୁ ସେ ମାନସିକ ଚାପରେ ଥିଲେ। ରାଖୀ ପୂର୍ଣ୍ଣିମା ପାଇଁ ତାଙ୍କୁ ଛୁଟି ମିଳି ନ ଥିବାରୁ ସେ କାନ୍ଦିକାନ୍ଦି ପରିବାର ଲୋକଙ୍କୁ ଜଣାଇଥିଲେ। ତେବେ ଶୁଭସ୍ମିତାଙ୍କୁ ମୃତ୍ୟୁ ଘଟଣାକୁ ନେଇ ଶନିବାର ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା।