ବଡ଼ ଘୋଷଣା: ଉଚ୍ଚ ଶିକ୍ଷାନୁଷ୍ଠାନରେ ହେବ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’

ବଡ଼ ଘୋଷଣା: ଉଚ୍ଚ ଶିକ୍ଷାନୁଷ୍ଠାନରେ ହେବ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’

ଭୁବନେଶ୍ୱର : ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’ ସ୍ଥାପନ ହେବ। ଏଥିସହ ‘ଶକ୍ତିଶ୍ରୀ ସାଥୀ’ ନିଯୁକ୍ତ ହେବେ। ସେହିପରି ଛାତ୍ରୀ ଓ ମହିଳା କର୍ମଚାରୀ ସୁରକ୍ଷା ପାଇଁ ଆସନ୍ତା ୨୫ ତାରିଖ ସୁଦ୍ଧା ‘ସକ୍ତିଶ୍ରୀ ସେଲ୍‌’ ପ୍ରସ୍ତୁତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଶନିବାର ବିଭାଗର ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି।
ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଁ ପ୍ରଚେଷ୍ଟା କରିବ। କେନ୍ଦ୍ରର ସଂଯୋଜିକା ଭାବେ ଜଣେ ଅଧ୍ୟାପିକା ଓ ‘ଶକ୍ତିଶ୍ରୀ ସାଥୀ’ ଭାବେ ଜଣେ ଛାତ୍ରୀ କାର୍ଯ୍ୟ କରିବେ। କେନ୍ଦ୍ରର ଅଧ୍ୟକ୍ଷ ଦାୟିତ୍ୱରେ କଲେଜ ପ୍ରିନ୍ସିପାଲ ଓ ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍‌ ରହିବେ। ସେମାନେ ଶକ୍ତିଶ୍ରୀ ସାଥୀ ଓ ସଂଯୋଜିକାଙ୍କ ସହ ସମନ୍ବୟ ରଖି ମାସିକ କ୍ୟାଲେଣ୍ଡର ମୁତାବକ ଅଧିବେଶନ ଆୟୋଜନ କରିବେ। ଚଳିତ ମାସ ୧୪ ତାରିଖ ସୁଦ୍ଧା ପ୍ରତି ଶ୍ରେଣୀରେ ଜଣେ ଲେଖାଏ ମହିଳା ପ୍ରତିନିଧି ଚୟନ କରାଯିବ। ୨୦ ତାରିଖ ସୁଦ୍ଧା ‘ଶକ୍ତିଶ୍ରୀ ସାଥୀ’ ବାଛିବା ପାଇଁ ପଦକ୍ଷେପ ନିଆଯିବ। ମନୋନୟନରେ ସ୍ବଚ୍ଛତା ଅବଲମ୍ବନ କରିବାକୁ କୁହାଯାଇଛି। ସ୍ବେଚ୍ଛାସେବୀ, ନେତୃତ୍ୱ ନେବାର ଦକ୍ଷତା, କମ୍ୟୁନିକେସନ ସ୍କିଲ, ଦାୟିତ୍ୱ, ଉତ୍ତରଦାୟୀ, ସମସ୍ୟାର ସମାଧାନ କରିବାର କ୍ଷମତା ଥିବା ଛାତ୍ରୀଙ୍କୁ ‘ଶକ୍ତିଶ୍ରୀ ସାଥୀ’ ଭାବେ ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ଶେଷ ବର୍ଷର ପ୍ରତି ଶ୍ରେଣୀର ଜଣେ ଲେଖାଏ ଛାତ୍ରୀ ଶ୍ରେଣୀ ପ୍ରତିନିଧି ଭାବେ କାମ କରିବେ। ଛାତ୍ରୀମାନଙ୍କୁ ୬ ଦିନିଆ ଆତ୍ମରକ୍ଷା କୌଶଳ ତାଲିମ ଦିଆଯିବ। ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ବନ୍ଧୀୟ ସଚେତନତା କର୍ମଶାଳା ମଧ୍ୟ ଅନୁଷ୍ଠିତ ହେବ। ଏଥିସହ ଶିକ୍ଷାନୁଷ୍ଠାନରେ ସାପ୍ତାହିକ ଯୋଗ, ପ୍ରାଣାୟମ, ବ୍ୟାୟାମ ଆଦି କରାଯିବା ସହିତ ସେମିନାର, ଆଲୋଚନାଚକ୍ର ଆଦି ଆୟୋଜନ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।