ଘରୋଇ ମେଡିକାଲ କଲେଜରେ ଆଡ଼ମିସନ ଫି ବୃଦ୍ଧିକୁ ବିରୋଧ

 ଭୁବନେଶ୍ୱର : ଓଡ଼ିଶାର ବେସରକାରୀ ମେଡିକାଲ କଲେଜ ହାଇଟେକ୍ ମେଡିକାଲ କଲେଜ ଏବଂ ଡ୍ରିମ୍ସ ମେଡିକାଲ କଲେଜରେ ହଠାତ୍  ବେଆଇନ୍ ଭାବରେ ୨୦୦% ଆଡ଼ମିସନ ଫି ବୃଦ୍ଧି ସମ୍ପର୍କରେ ତୁରନ୍ତ ହସ୍ତକ୍ଷେପ ପାଇଁ ଆଜି ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି  । ଜୟଦେବ ଭବନ ସମୁଖରେ ମହାସଂଘ କର୍ମକର୍ତ୍ତାଙ୍କ ସହିତ ସାରା ରାଜ୍ୟରୁ ଏହି ନିଷ୍ପତି ଯୋଗୁଁ କ୍ଷତିଗ୍ରସ୍ତ ଆଶାୟୀ ଅନେକ ମେଡିକାଲ ଛାତ୍ର ଓÿ ସେମାନଙ୍କ ଅଭିଭାବକ ମାନେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ ସହ ସାମ୍ବାଦିକ ମାନଙ୍କୁ ସବୁ ତଥ୍ୟ ପ୍ରକାଶ କରିଛନ୍ତି  । ଫି ବୃଦ୍ଧି ଫଳରେ ଆଡ଼ମିସନ ପାଇଁ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ସରକାରଙ୍କ ଏହି ବେଆଇନ ସୁପାରିଶକୁ ଅନୁମୋଦନ ଯୋଗୁଁ ଅଭିଭାବକ ମାନେ ସମ୍ପୂର୍ଣ୍ଣ ହଇରାଣ ହେବା ସହ କେମିତି କୋଉଠୁ ଏତେ ଅଧିକ ପଇସା ଯୋଗାଡ଼ କରି ଆଡ଼ମିସନ କରିବେ ସେହି ଚିନ୍ତାରେ ଅଛନ୍ତି  । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପ୍ରାଇଭେଟ ମେଡିକାଲ କଲେଜ ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ହୋଇଥିବା ଫି ବୃଦ୍ଧି ଘୋଷଣା ବିଜ୍ଞପ୍ତି ଆଜି ଅନେକ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଅସୁବିଧାରେ ପକାଇଛି । ଚଏସ୍-ଫିଲିଂ ଏବଂ ଲକିଂ ପ୍ରକ୍ରିୟା ସମୟରେ ଫି ବୃଦ୍ଧି ପ୍ରକାଶ କରାଯାଇ ନଥିଲା  । ଏହି ବେଆଇନ ଫିସ ବୃଦ୍ଧି ଯୋଗୁଁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପୃଷ୍ଠଭୂମିର ଅନେକ ମେଧାବୀ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ଅନେକ ଆକାଂକ୍ଷୀ ଡାକ୍ତର ଏବଂ ସେମାନଙ୍କ ପରିବାରର ଭବିଷ୍ୟତକୁ ଘୋର ପ୍ରଭାବ ପକାଇବ ବୋଲି ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିସୋଇ  କହିଛନ୍ତି  । ଏହି ମନୋମୁଖୀ ନିଷ୍ପତି ବିରୁଦ୍ଧରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଇନ ଗତ ଲଢେଇ ହେବ ବୋଲି ମହାସଚିବ ଅଶୋକ ପାଇକରାୟ କହିଛନ୍ତି  ।