ହାଇଦ୍ରାବାଦରେ ନିବେଶକ ସମ୍ମିଳନୀ : ୩୮୭୦୦ କୋଟିର ନିବେଶ ପ୍ରତିଶ୍ରୁତି
ଶିଳ୍ପପତିଙ୍କ ସହ କଥାହେଲେ ମୋହନ
ଭୁବନେଶ୍ୱର : ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ନିବେଶକ ରୋଡ଼ଶୋ’ର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ କରିବା ପାଇଁ ନିବେଶକମାନେ ଆଗ୍ରହ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳ୍ପପତିଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ପ୍ରଥମ ଦିନରେ ୧୯୨୦୦ କୋଟି ଟଙ୍କା ନିବେଶ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିବାବେଳେ ୧୯୫୦୦ କୋଟି ଟଙ୍କାର ନିବେଶ ପାଇଁ ଶିଳ୍ପପତିମାନେ ଆଗ୍ରହ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଦିନ ହାଇଦ୍ରାବାଦ ଗସ୍ତରେ ୧୫ ଶିଳ୍ପସଂସ୍ଥା ସହ ସରକାରଙ୍କର ଆଲୋଚନା ହୋଇଛି । ଇଣ୍ଡୋରମା ଇଣ୍ଡଷ୍ଟ୍ରି, ଜିନ୍ଦଲ ପଲି ଫିଲ୍ମସ, ଏବିଆଇ ସୋଟେକ୍, ମାରୁତି ଭଳି କମ୍ପାନୀଗୁଡ଼ଇକ ୧୯୫୦୦ କୋଟି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଯାହାଦ୍ୱାରା ୭୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସେହିପରି ୧୯୨୦୦ କୋଟିର ଏମଓୟୁ ସ୍ୱାକ୍ଷରିତ ହୋଇଥିବାବେଳେ ୧୨୭୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏତଦବ୍ୟତୀତ ଫାର୍ମାସ୍ୟୁଟିକାଲ କମ୍ପାନୀମାନଙ୍କ ସହ ଏକ ଗୋଲଟେବୁଲ ବୈଠକ ହୋଇଥିଲା । ରାଜ୍ୟ ସରକାର ଆଣିଥିବା ନୂତନ ଫାର୍ମାସ୍ୟୁଟିକାଲ ନୀତି ଓ ମେଡ଼ିକାଲ ଡିଭାଇସ ପାର୍କ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିଯେ, ଆଜି ଶିଳ୍ପପତିମାନଙ୍କର ଏହି ନିବେଶ ଉତ୍ସାହ ଓଡ଼ିଶା ପ୍ରତି ଶିଳ୍ପପତିମାନଙ୍କ ଆତ୍ମବିଶ୍ୱାସର ପ୍ରତିଫଳନ । ଆମେ ଦୀର୍ଘମିଆଦୀ ଭାବେ ସମ୍ପର୍କ ସୁଦୃଢ଼ ରଖିବାକୁ ଚାହୁଁଛୁ । ଆସନ୍ତାକାଲି ହାଇଦ୍ରାବାଦରେ ଓଡ଼ିଶା ନିବେଶ ସମ୍ମିଳନୀ ଅନୁଷ୍ଠିତ ହେବ ।