ସହରର ସବୁ ଟ୍ରାଫିକ୍ ବନ୍ଦ : ଦିଲ୍ଲୀ AIIMS ଅଭିମୁଖେ ବଳଙ୍ଗା ପୀଡ଼ିତା

ଦିଲ୍ଲୀ ଏମ୍ସ ଅଭିମୁଖେ ବାହାରିଲେ ବଳଙ୍ଗା ପୀଡ଼ିତା । ଭୁବନେଶ୍ବର ଏମ୍ସରୁ ଗ୍ରୀନ୍ କରିଡର ଭିତରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରକୁ ନିଆଯାଉଛି । ସହରର ଟ୍ରାଫିକ୍ ତଦାରଖ କରୁଛନ୍ତି ଖୋଦ୍ ଟ୍ରାଫିକ୍ ଡିସିପି । ପୀଡ଼ିତାଙ୍କୁ ୧୦ ମିନିଟରେ ବିମାନବନ୍ଦରରେ ପହଞ୍ଚାଯିବ ।  ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମରୁ ୩/୪ ଜଣ ଡାକ୍ତର ପୀଡ଼ିତାଙ୍କ ସହ ଦିଲ୍ଲୀ ଯାଉଥିବା ସୂଚନା ରହିଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲେ ବି ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଉଥିବା କୁହାଯାଇଛି । ପୀଡ଼ିତାଙ୍କ ସହ ତାଙ୍କ ପରିବାର ମଧ୍ୟ ଦିଲ୍ଲୀ ଏମ୍ସ ଯିବେ । ଏପଟେ ଘଟଣାସ୍ଥଳରେ ଜୋରଦାର ତଦନ୍ତ ଚଳାଇଛି ପୁଲିସ । ବଳଙ୍ଗା ଥାନା ଘେରାଉ କରି ନାବାଳିକାଙ୍କୁ ଯଥାଶୀଘ୍ର ନ୍ୟାୟ ଦେବାକୁ ଦାବି କରିଛି ବିଜେଡି । ଶନିବାର ସକାଳୁ ପୀଡ଼ିତା ତାଙ୍କ ସାଙ୍ଗ ଘରକୁ ଯିବାବେଳେ ୩ଜଣ ଯୁବକ ତାଙ୍କୁ ବଳପୂର୍ବକ ଟେକିନେଇ ତାଙ୍କ ଦେହରେ କେରୋସିନ ପକାଇ ନିଆଁ ଲଗାଇ ଦେଇଥିଲେ। କିନ୍ତୁ ସ୍ଥାନୀୟ କିଛି ଲୋକଙ୍କ ପାଇଁ ରକ୍ଷା ପାଇଥିଲେ ପୀଡ଼ିତା । ଏହାପରେ ତାଙ୍କୁ ତୁରନ୍ତ ପିପିଲି ହସ୍ପିଟାଲ ଏବଂ ସେଠାରୁ ଭୁବନେଶ୍ବର ଏମ୍ସକୁ ନିଆଯାଇଥଲା । ଏହାକୁ ନେଇ ବିରୋଧୀ ଏମ୍ସ ଆଗରେ ହଙ୍ଗାମା କରିଥିବାବେଳେ ତାଙ୍କୁ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରିବାକୁ ଦାବି କରିଥିଲେ । ଆଜି ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରାଯାଉଛି ।