ହାଇପ୍ରୋଫାଇଲ ଠକେଇ ମାମଲା; ସରିଲା ରିମାଣ୍ଡ

ହଂସିତାଙ୍କ ୭ଟି ଦାମୀ ଗାଡିର କିଣାବିକା ଉପରେ କଟକଣା; ପରିବହନ ବିଭାଗକୁ ଚିଠି କଲା ଆୟକର ବିଭାଗ
ଭୁବନେଶ୍ୱର, ୧୦ା୧ : ଠକ ବଣ୍ଟି ବବଲିଙ୍କ ସରିଲା ରିମାଣ୍ଡ ଅବଧି  । ଅନୀଲ ମହାନ୍ତି ଓ ହଂସିତା ଅଭିଲିପ୍ସାଙ୍କ ଦିନିକିଆ ରିମାଣ୍ଡ ଶେଷ ହୋଇଛି । ଦୁହିଁଙ୍କୁ କୋର୍ଟରେ ହାଜର କରି ପୁଣି ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ତାହାକୁ ଖାରଜ କରିଛନ୍ତି କୋର୍ଟ । ଫଳରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି  । ଅନ୍ୟପଟେ ୧୩ ତାରିଖରେ ପୁଲିସ ଚାର୍ଜସିଟ୍ ଦାଖଲ କରିବ ବୋଲି ଜଣାପଡ଼ିଛି । ଗତକାଲି ଦିନିକିଆ ରିମାଣ୍ଡରେ ନେଇ ଜେରା କରିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍  । ଦୁହିଁଙ୍କ ଟଙ୍କାର ଉସô ନେଇ ହୋଇଥିଲା ଖୋଳତାଡ । ନଗଦ ଟଙ୍କା ଦେଇ ଦାମୀ ଗାଡି କିଣିବା କେମିତି ସମ୍ଭବ ହେଲା ଜେରା କରିଛି ପୁଲିସ । କଳାହାଣ୍ଡି ନର୍ଲାରୁ ଆସିଥିବା ହଂସୀତା, ଏକ ସ୍ପା'ରେ କାମ କରୁଥିବା ବେଳେ ଏତେ କୋଟିର ମାଲିକ କେମିତି ହେଲେ ତାକୁ ନେଇ ଚାଲିଛି ଖୋଲତାଡ଼ । ଅନ୍ୟପଟେ ଭିନ୍ନ ଭିନ୍ନ ଲୋକଙ୍କ ନାମରେ ୭ଟି ବିଏମ୍ଡବ୍ଲୁ, ମର୍ସିଡିଜ୍ ବେଞ୍ଜ, ଜାଗୁଆର ଭଳି ଦାମୀ ଗାଡିରେ ବୁଲୁଥିଲେ ହଂସିତା । ଏଭଳି ୭ଟି ଗାଡି ଗୁଡିକୁ କିଣାବିକା ନକରିବା ପାଇଁ ପରିବହନ ବିଭାଗକୁ ଚିଠି କରିଛି ଆୟକର ବିଭାଗ । ତଦନ୍ତ ନ ସରିବା ପର୍ଯ୍ୟନ୍ତ କିଣାବିକା ଉପରେ ରୋକ ଲଗାଇବା ପାଇଁ ସମସ୍ତ ଆରଟିଓ ମାନଙ୍କୁ କୁହାଯାଇଛି  । ୫ଟି ଗାଡି ମୁଖ୍ୟ ଅଭିଯୁକ୍ତ ଅନୀଲ, ସରୋଜ ସାହୁ ଓ ତାଙ୍କ ସଂସ୍ଥାଙ୍କ ନାମରେ ଥିବାବେଳେ ଅନ୍ୟ ଦୁଇଟି ଗାଡି ଭିନ୍ନ ଲୋକଙ୍କ ନାଁରେ ରହିଛି  । ଏମାନେ ତାଙ୍କର ପାର୍ଟନର କୁହାଯାଉଥିବା ବେଳେ, ଏପର୍ଯ୍ୟନ୍ତ ନା ଇନକମ ଟାକ୍ସ ନା ପୁଲିସ ତାଙ୍କ ପାଖରେ ପହଞ୍ଚି ପାରିଛି  । 
ହଂସିତାଙ୍କୁ ନେଇ ପ୍ରଥମ ସ୍ୱାମୀ ସରୋଜ ସାହୁଙ୍କ ବୟାନ:
ଆୟକର ବିଭାଗ ଜେରାବେଳେ ଦୁହିଁଙ୍କ ବ୍ୟବସାୟ ନେଇ ତଥ୍ୟ ଦେଇଛନ୍ତି ସରୋଜ ସାହୁ  । ଏହି ସମୟରେ ନିଜ ପାଠପଢା ଠାରୁ ବ୍ୟବସାୟ ପର୍ଯ୍ୟନ୍ତ କେମିତି ଥିଲା ଯାତ୍ରା ସେକଥା କହିଛନ୍ତି ସରୋଜ । ୨୦୦୧ ମସିହାରେ ଇଞ୍ଜିନିୟରିଂ ପାଠପଢା ଶେଷ କରିବା ପରେ ୨୦୦୨ ମସିହାରେ କୋଲକାତାର ଏକ କମ୍ପାନୀରେ କାମ କରୁଥିଲେ ସରୋଜ । ପରେ ୨୦୦୩ ମସିହାରେ ବ୍ରହ୍ମପୁରର ବ୍ରହ୍ମପୁରର ଖଲିକୋଟ ଇଞ୍ଜିନିୟରିଂ କଲେଜରେ ପାଠ ପଢାଉଥିଲେ । ପରେ ୨୦୦୫ରୁ ୨୦୧୭ ପର୍ଯ୍ୟନ୍ତ ଭୁବନେଶ୍ୱର ଫର୍ଚୁ୍ୟନ୍ ଟାୱାରରେ ଥିବା ରିଲାଆନ୍ସ କମ୍ପାନୀରେ କାମ କରୁଥିଲେ ସରୋଜ  । ଏହାପରେ ୨୦୨୧ ପର୍ଯ୍ୟନ୍ତ ବେକାର ରହିଥିଲେ  । ୨୦୨୨ରୁ ସାଇଆନ୍ସ ଟ୍ରେଡର୍ସ ନାମରେ ନିଜସ୍ୱ କମ୍ପାନୀ ଆରମ୍ଭ କରି କଣ୍ଟ୍ରାକ୍ଟରମାନଙ୍କୁ ଶ୍ରମିକ ଯୋଗାଉଥିଲେ । ଏଥିପାଇଁ ତାଙ୍କୁ କମିଶନ୍ ମିଳୁଥିଲା  । ଏହାପରେ ସାଇଆନ୍ସ ଟ୍ରେଡର୍ସ ବୁଝାସୁଝା କରୁଥିଲେ ପନôୀ ହଂସିତା ଓରଫ ବିଷ୍ଟୁପ୍ରୀୟା ଓରଫ ରାକ୍ଷୀ ।    
  ସୂଚନାଯୋଗ୍ୟ ଯେ, ହଂସିତା ଓ ଅନିଲଙ୍କୁ ନେଇ ସାମ୍ନାକୁ ଆସିବାରେ ଲାଗୁଛି ନୂଆ ନୂଆ ତଥ୍ୟ । ତଦନ୍ତ ପ୍ରକ୍ରିୟା ଯେତିକି ଆଗଉଛି, ଦୁହିଁଙ୍କ କଳା ସାମ୍ରାଜ୍ୟକୁ ନେଇ ବଡ ବଡ ସାଂଘାତିକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି  । ଦୁହିଁଙ୍କୁ ଦିନକ ପାଇଁ ରିମାଣ୍ଡ ନେଇ ଜେରା କରିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍  । ଏହି ସମୟରେ ମାତ୍ର ଘଣ୍ଟାଏ ପାଇଣ ପଚରାଉଚୁରା ପାଇଁ ସମୟ ମିଳିଥିଲା । ତେବେ ଆଗକୁ ଅଧିକ ଜେରା ପାଇଁ ପୁଣିଥରେ ଆବେଦନ କରିପାରେ ଆୟକର ବିଭାଗ । ଦିନକରେ ସବୁ ତଥ୍ୟ ବାହାର କରିହୋଇନାହିଁ  । ତଦନ୍ତର ୯୦ ଦିନ ମଧ୍ୟରେ ରିପୋର୍ଟ ଉପସ୍ଥାପନ କରିବ ଆଇଟି । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଦସ୍ତାବିଜ୍, ତଥ୍ୟ ଓ ପ୍ରମାଣ ଆଧାରରେ ରିପୋର୍ଟ ପ୍ରସ୍ତୁତ କରିବ ଆୟକର ବିଭାଗ । ସେହିପରି ହଂସିତାଙ୍କ ଆଉ ଏକ ସ୍ୱାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟକୁ ବାଲିଗୁଡାରୁ ଠାବ କରିଥିଲା ଆଇଟି  । ତାଙ୍କୁ ମଧ୍ୟ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା  । ଅନିଲକୁ କି କାମରେ ସାହାଯ୍ୟ କରୁଥିଲା କି ପାର୍ଟନର ଥିଲା ତାହା ବି ସନେ୍ଦହ ରହିଛି  । ଅଭିଯୁକ୍ତ ଓ ତାଙ୍କ ସମ୍ପର୍କୀୟଙ୍କ ଛଡା ଅନ୍ୟ ଦୁଇଜଣଙ୍କ ଗାଡି ମଧ୍ୟ କିଣାବିକା ନ କରିବାକୁ ଚିଠି ହୋଇଛି ।