ଭୁବନେଶ୍ୱରରେ ବୁକିଂ; ଢେଙ୍କାନାଳରୁ ମାଡମାରି ନେଇଗଲେ କାର

ଭୁବନେଶ୍ୱରରେ ବୁକିଂ; ଢେଙ୍କାନାଳରୁ ମାଡମାରି ନେଇଗଲେ କାର

  • ଖୋର୍ଦ୍ଧାରୁ ୨ ଅଭିଯୁକ୍ତ ଗିରଫ, କାର ଜବତ, ଜଣେ ଫେରାର
    ଭୁବନେଶ୍ୱର, ୭ା୯ : ଭୁବନେଶ୍ୱରରେ ଉବେର କାର ବୁକିଂ କରି ଢେଙ୍କାନାଳ ଜଙ୍ଗଲରେ ଚାଳକକୁ ମାଡ ମାରି ଫିଙ୍ଗି ଦେଲେ । ପରେ କାର ନେଇ ପଳାଇ ଯାଇଥିଲେ ୩ ଦୁର୍ବୃତ୍ତ । ଲୁଟର ପ୍ରାୟ ୧୧ ଦିନ ପରେ ପୁଲିସ କାର ଜବତ କରିବା ସହ ଦୁଇ ଲୁଟେରାଙ୍କୁ ଗିରଫ କରିଛି । ଗିରଫ କାର ଲୁଟେରାମାନେ ଭୁବନେଶ୍ୱର କଳିଙ୍ଗ ନଗର ଅଞ୍ଚଳର ରାଜେଶ କୁମାର ନାଥ ଓ ସୁମନ୍ତ ନାଥ ବୋଲି ଜଣାପଡିଛି ।
     ସୂଚନା ଯୋଗ୍ୟଯେ, ଗତ ୧୩ ତାରିଖରେ ଭୁବନେଶ୍ୱର ଏମ୍ସ ନିକଟସ୍ଥ କୋଳଥିଆରୁ ଉବେର ବୁକିଂ ପାଇଥିଲେ ଅଭିଯୋଗକାରୀ ବଳରାମ ପ୍ରଧାନ । ୩ ଜଣ ଯୁବକ ଢେଙ୍କାନାଳ ଜିଲ୍ଲା ରାଧାଦେଈପୁର ଯିବା ପାଇଁ ଉବେରରେ ବୁକିଂ କରିଥିଲେ । ବୁକିଂ ପାଇବା ପରେ ୩ ଜଣ ଯୁବକଙ୍କୁ ଧରି ରାଧାଦେଈପୁର ଅଭିମୁଖେ ବାହାରିଥିଲେ ଉବେର ଡ୍ରାିଭର ବଳରାମ । ରାସ୍ତାରେ ଗଲା ବେଳେ ଆଠଗଡ କାଳିଆ ମାଟିହାଣ୍ଡି ଚାହା ଦୋକାନରେ ଅଟକି ଥିଲେ । ସେଠାରେ ସମସ୍ତେ ଚାହା ପିଇଥିଲେ, ତା’ପରେ ସମସ୍ତେ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ । ରାତି ପ୍ରାୟ ୧୧ଟା ହେବ । ଆଉ କିଛି ସମୟରେ ରାଧାଦେଈପୁର ଗାଁରେ ପହଞ୍ଚି ଥାଆନ୍ତେ । ହେଲେ ତା’ ପୂର୍ବରୁ ଜଙ୍ଗଲ ଭିତରେ ପରିଶ୍ରା ବାହାନାରେ ଗାଡି ଅଟକାଇବାକୁ କହିଥିଲେ ୩ ଅଭିଯୁକ୍ତ । ତେଣୁ ବଳରାମ ଗାଡି ଅଟକାଇ ଥିଲେ । ପରେ ୩ ଜଣ ପରିଶ୍ରା କରି ଆସିବା ପରେ ବଳରାମଙ୍କ ବେକରେ ଛୁରୀ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ । ହେଲେ ବଳରାମ ସେମାନଙ୍କୁ ଜୀବନ ଭିକ୍ଷା କରି କହିଥିଲେ ସବୁ ପଛେ ନେଇଯାଅ, ହେଲେ ମୋତେ ଛାଡି ଦିଅ ବୋଲି ଦୁର୍ବୃତ୍ତଙ୍କ ଗୋଡ ଧରି କାକୁତି ମିନତି ହୋଇଥିଲେ । ଏହା ପରେ ଦୁର୍ବୃତ୍ତମାନେ ତାଙ୍କୁ ଜଙ୍ଗଲ ଭିତରେ ଛାଡି ଗାଡି ନେଇ ପଳାଇ ଯାଇଥିଲେ । ଆଉ ଗଲାବେଳେ ବଳରାମଙ୍କ ୨ଟି ମୋବାଇଲ, ମନିପର୍ସ ଓ ପିନ୍ଧିଥିବା ସୁନା ମୁଦିକୁ ମଧ୍ୟ ନେଇଯାଇଥିଲେ ୩ ଦୁର୍ବୃତ୍ତ । ତା ପରେ ଅନ୍ଧାର ରାତିରେ ଜଙ୍ଗଲ ଭିତରୁ ଜୀବନ ବଞ୍ଚାଇ ରାଧାଦେଈପୁର ଗାଁରେ ପହଞ୍ଚିଥିଲେ ବଳରାମ । ରାତିରେ ଆ’ ଘର ତା’ ଘରର କବାଟ ବାଡେଇ ଥିଲେ, ହେଲେ କେହି କବାଟ ଖୋଲିନଥିଲେ । ୪ରୁ ୫ଜଣଙ୍କ କବାଟ ବାଡେଇବା ପରେ ଜଣେ ବ୍ୟକ୍ତି କବାଟ ଖୋଲିଥିଲେ । ତାଙ୍କୁ ସବୁ କଥା କହିବା ପରେ ସେ ଗାଁ ଲୋକଙ୍କୁ ଡାକିଥିଲେ । ସେହି ରାତିରେ ଜଙ୍ଗଲ ଆଖପାଖ ଅଞ୍ଚଳରେ ଖୋଜା ଖୋଜି କରିଥିଲେ, ହେଲେ କାର ପାଇନଥିଲେ । ତା’ପର ଅର୍ଥାତ ୧୪ ତାରିଖରେ ଗାଁ ଲୋକଙ୍କ ସହ ବଳରାମ ଗଁଦିଆ ଥାନାରେ ପହଞ୍ଚି କାର ଲୁଟ୍ ନେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିଲା । ଅନ୍ୟପକ୍ଷରେ ବଳରାମଙ୍କୁ ଗାଁକୁ ଫେରିବା ପାଇଁ ୫୦୦ ଟଙ୍କା ଦେଇଥିଲେ । ସେହି ଟଙ୍କାରେ ଗାଁକୁ ଫେରିଥିଲେ । ଏନେଇ ଗଁଦିଆ ଥାନା ପୁଲିସ ମାମଲା ତଦନ୍ତ କରି ଦୁଇ ଲୁଟେରା ରାଜେଶ କୁମାର ନାଥ ଓ ସୁମନ୍ତ ନାଥକୁ ଧରିବାରେ ସଫଳ ହୋଇଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି । ଗିରଫ ଅଭିଯୁକ୍ତଙ୍କ ଘର ଭୁବନେଶ୍ୱର କଳିଙ୍ଗ ନଗର ଅଞ୍ଚଳର । ଏଥିସହ ବଳରାମଙ୍କ କାର ଜବତ କରାଯାଇଛି । ଆଜି ଗଁଦିଆ ଥାନା ପୁଲିସ ବଳରାମଙ୍କୁ ତାଙ୍କ କାର ପ୍ରଦାନ କରିଛି । କାର ସିନା ମିଳିଲା, ହେଲେ ଲୁଟ୍ ହୋଇଥିବା ସାମଗ୍ରୀ ଯଥା- ୨ଟି ମୋବାଇଲ, ସୁନା ମୁଦି ଓ ମନିପର୍ସ, ଯେଉଁଥିରେ ୫୦୦୦ରୁ ଅଧିକ ଟଙ୍କାର ଥିଲା ।