୨୬ ଲକ୍ଷର ବ୍ରାଉନସୁଗର ଜବତ; କାର ସହ ୪ ଗିରଫ

ଭୁବନେଶ୍ୱର,୨୩ା୧: ବାଲିଅନ୍ତା ଥାନା ପୁଲିସକୁ ମିଳିଛି ବଡ଼ଧରଣର ସଫଳତା । ଶନିବାର ବାଲେଶ୍ୱରରୁ ଭୁବନେଶ୍ୱରକୁ ୨୬ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗର ନେଇ ଆସୁଥିବା ଏକ ୪ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ନିଶା ବେପାରୀଙ୍କ ଠାରୁ ପୁଲିସ ୨୬୦ ଗ୍ରାମ ଅର୍ଥାତ ୨୬ ଲକ୍ଷ ଟଙ୍କା ବ୍ରାଉନସୁଗାର, ୨୨ ହଜାର ଟଙ୍କା, ୩ଟି ମୋବାଇଲ ଓ ଏକ କାର ଜବତ କରାଯାଇଛି । ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳର ସରୋଜ କୁମାର ରାଉତ (୨୩),ନୟାପଲ୍ଲୀ ଥାନା ଅନ୍ତର୍ଗତ ଜୟଦେବ ବିହାର ସ୍ଥିତ ପ୍ଲଟ ନଂ ୧୬୭୮ର ମନୋଜ କୁମାର ମଲ୍ଲିକ (୩୫),ସାଲିଆସାହିର ବିଜୟ କୁମାର ମଣ୍ଡଳ (୩୫) ଓ ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗିଣିଆର ସୁବାଷ କୁମାର ସ୍ୱାଇଁ (୨୮) । ଗିରଫ ଅଭିଯୁକ୍ତ ସୁବାଷ ଓ ବିଜୟ ନାମରେ ପୂର୍ବରୁ ରାଜଧାନୀର ଏକାଧିକ ଥାନାରେ ନିଶା ସମାଗ୍ରୀ ବିକ୍ରି ଜନିତ ମାମଲା ରହିଥିବା ଜଣାପଡ଼ିଛି । 
 ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ବାଲେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣର ବ୍ରାଉନସୁଗର ଆଣି ଏକ କାର (ଓଡ଼ି ୧୫ସି ୭୨୧୩) ଯୋଗେ ଭୁବନେଶ୍ୱର ଆସୁଥିଲେ । ତେବେ ଭୁବନେଶ୍ୱରରେ ପୁଲିସ ହାତରେ ଧରାପଡ଼ିବା ଭୟରେ ରାସ୍ତା ବଦଳାଇ ବାଲିଅନ୍ତା ପଟକୁ ଯିବା ନିମନ୍ତେ ପୁରୀ କେନାଲ ରୋଡ ରାସ୍ତାକୁ ମାଧ୍ୟମ କରିଥିଲେ । ତେବେ କୌଣସି ସୂତ୍ରରୁ ବାଲିଅନ୍ତା ଥାନାଧିକାରୀ ରବିନ୍ଦ୍ର ମେହେର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନାର ଟିମ ଦ୍ୱାରା ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ।