ଚାକିରି ନାଁରେ ୧୨ ଲକ୍ଷ ଚଳୁ: ଠକ ଗିରଫ

ଭୁବନେଶ୍ୱର, ୧୦ା୧ : ପଞ୍ଚାୟତରାଜ ବିଭାଗରେ ଚାକିରି ଯୋଗାଇ ଦେବାକୁ କହି ୧୨ ଲକ୍ଷ ଚଳୁ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ପଞ୍ଚାୟତରାଜ ବିଭାଗର ନକଲି ଆଇକାର୍ଡ ରଖି ଲୋକଙ୍କୁ ଠକୁଥିବା ଠକକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, କଳାହାଣ୍ଡି ଜିଲ୍ଲା ଅସୁରଗଡ଼ର ବୟସଦେବ୍ ରଣା । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ପୂର୍ଣ୍ଣଚନ୍ଦ୍ର ପରିଡ଼ା ଅଭିଯୁକ୍ତଙ୍କ ସହ ତାଙ୍କର ଜଣେ ବନ୍ଧୁଙ୍କ ଜରିଆରେ ପରିଚିତ ହୋଇଥିଲେ । ଅଭିଯୁକ୍ତ ଜଣଙ୍କ ନିଜକୁ ପଞ୍ଚାୟତରାଜ ବିଭାଗର ବିଭାଗୀୟ ଅଫିସର ପରିଚୟ ଦେବା ସହ ଉକ୍ତ ବିଭାଗର ଏକ ନକଲି ପରିଚୟ ପତ୍ର ମଧ୍ୟ ବ୍ୟବହାର କରୁଥିଲେ । ପରେ ଅଭିଯୁକ୍ତ ଜଣଙ୍କ ସରକାରୀ ଚାକିରି ଯୋଗାଇ ଦେବାର ମିଥ୍ୟା ପ୍ରତିଶୃତି ଦେଇ ଅଭିଯୋଗକାରୀଙ୍କ ବିଶ୍ୱାସ ଭାଜନ କରିବା ପରେ ତାଙ୍କଠାରୁ ବିଭିନ୍ନ ସମୟରେ ସମୁଦାୟ ୧୨ ଲକ୍ଷ ଟଙ୍କା ନେଇଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ଅଠାତ ଅଭିଯୋଗକାରୀଙ୍କ ସହ କଥାବାର୍ତ୍ତା ବନ୍ଦ କରିବା ସହ ତାଙ୍କର ମୋବାଇଲକୁ ମଧ୍ୟ ବନ୍ଦ କରିଦେଇଥିଲେ । ଶେଷରେ କୌଣସି ଉପାୟ ନପାଇ ଅଭିଯୋଗକାରୀ ଏନେଇ କ୍ୟାପିଟାଲ ଥାନାରେ ଗତ ୯ ତାରିଖ ଦିନ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ କେସ ନମ୍ବର ୧୪ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୁକ୍ତକୁ ଆଜି ଗିରଫ କରିବା ସହ ଦଫା, ୩୧୮(୪) ବିଏନଏସରୁ ଟର୍ମ କରି ୩୧୮(୪)/୩୩୬(୩)/୩୪୦(୨) ବିଏନଏସ୍ରେ କୋର୍ଟ ଚାଲାଣ କରାଯାଇଛି ।