ୟୁଏସଏରୁ ତଡ଼ା ହେବେ ଆଉ ୪୮୭
ନୂଆଦିଲ୍ଲୀ: ପୁଣି ଆମେରିକାର ନିର୍ବାସନ ତାଲିକାରେ ଯୋଡ଼ି ହୋଇଛନ୍ତି ଆହୁରି ୪୮୭ ଭାରତୀୟ । ଏମାନଙ୍କୁ ଖୁବ୍ଶୀଘ୍ର ଭାରତରେ ଆଣି ଛଡ଼ାଯିବ ବୋଲି ଆମେରିକୀୟ କର୍ତ୍ତୃପକ୍ଷ କହିଛନ୍ତି । ବେଆଇନ ଦସ୍ତାବିଜ୍ ଯୋଗୁ ଏମାନଙ୍କୁ ନିର୍ବାସନ ତାଲିକାଭୁକ୍ତ କରାଯାଇଛି ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭାବେ ଖୁବ୍ଶୀଘ୍ର ଏହି ପ୍ରବାସୀ ଭାରତୀୟଙ୍କୁ ଭାରତ ପଠାଯିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଆଜି ଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ସଚିବ ବିକ୍ରମ ମିଶ୍ରି । ସେ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପାଇଁ ଆମେରିକା ଉପରୋକ୍ତ ସଂଖ୍ୟକ ତାଲିକା ଭାରତକୁ ପଠାଇଥିବା ବେଳେ ଆଗାମୀ ଦିନରେ ଏହିସଂଖ୍ୟା ବୃଦ୍ଧି ପାଇପାରେ ।
ସୂଚନାଯୋଗ୍ୟ ଗତ ୫ ତାରିଖ ଦିନ ୧୦୪ ଜଣ ପ୍ରବାସୀ ଭାରତୀୟ ଆମେରିକାର ସେନା ବିମାନ ସି-୧୭ ଯୋଗେ ପଞ୍ଜାବର ଅମୃତସର ସ୍ଥିତ ଶ୍ରୀ ଗୁରୁ ରାମଦାସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଥିଲେ । ଭାରତୀୟ ପ୍ରବାସୀଙ୍କୁ ଅପରାଧିଙ୍କ ଭଳି ବ୍ୟବହାର ଦେଖାଇବା ସହ ତାଙ୍କ ହାତ ଓ ଗୋଡ଼ରେ ହ୍ୟାଣ୍ଡ୍କପ୍ ପକାଇ ଭାରତ ଅଣାଯାଇଥିଲା । ଆମେରିକାର ଏଭଳି ଆଭିମୁଖ୍ୟକୁ ଦେଶବାସୀ କଡ଼ା ବିରୋଧ କରିବା ସହ ଆମେରିକା ପ୍ରତି ଭାରତ ସରକାର ମଧ୍ୟ କଠୋର ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା ।
ଅପରପକ୍ଷେ ଗତ କିଛିଦିନ ତଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ରାଜ୍ୟସଭାରେ କହିଥିଲେ ଯେ, ୨୦୦୯ରୁ ଆଜି ପର୍ଯ୍ୟନ୍ତ ଆମେରିକାରେ ୧୫୬୬୮ ବେଆଇନ ପ୍ରବାସୀ ଭାରତୀୟ ରହି ଆସୁଛନ୍ତି । ଏଣୁ ଆମେରିକା ନିଜର ଏସ୍ଓପି (ମାନକ କାର୍ଯ୍ୟ ପ୍ରଣାଳୀ) ଜରିଆରେ ବେଆଇନ ପ୍ରବାସୀଙ୍କୁ ଅନୁପ୍ରବେଶକାରୀ ଭାବେ ଚିହ୍ନଟ କରି ନିର୍ବାସନ କରୁଛି । ଆମେରିକାର ସରକାରୀ ସଂସ୍ଥା ଇମିଗ୍ରେସନ୍ ଆଣ୍ଡ କଷ୍ଟମ୍ସ ଏନ୍ଫୋର୍ସମେଣ୍ଟ (ଆଇସିଇ) ୨୦୧୨ରୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରଖିଛି । ଏବେ ଟ୍ରମ୍ପ୍ଙ୍କ ନିଦେ୍ର୍ଦଶ କ୍ରମେ ଆଇସିଇ ସେନା ସହାୟତାରେ ନିର୍ବାସନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ତେବେ ପ୍ରବାସୀ ଭାରତୀୟଙ୍କୁ ଅପରାଧୀଙ୍କ ଭଳି ନିର୍ଯାତନା ନ ଦେବା ପାଇଁ ସେ ଆମେରିକୀୟ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି ବୋଲି କହିଛନ୍ତି ।