୧୮ରେ ବିଜେଡ଼ିର ଚାଷୀ ବିକ୍ଷୋଭ ସମାବେଶ

 ବରଗଡ : ଆଗାମୀ ୧୮ ତାରିଖ ସୋମବାର ଦିନ ବରଗଡ ଠାରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ବିରାଟ ଚାଷୀ ବିକ୍ଷୋଭ ଅନଷ୍ଠିତ ହେବ । ଏହି ସମାବେଶରେ ରାଜ୍ୟସ୍ତରୀୟ ନେତୃମଣ୍ଡଳୀ ଯୋଗ ଦେଇ ସମାବେଶରେ ସାମିଲ ହେବେ । ଏହି ପରିପ୍ରେକ୍ଷୀରେ ବରଗଡ ଅଗ୍ରଗାମୀ ଯୁବକ ସଂଘ ଠାରେ ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ମହାପାତ୍ର କଂ ଅଧ୍ୟକ୍ଷତାରେ ବରଗଡ ଜିଲ୍ଲାର ସମସ୍ତ ଛାମୁଆ ନେତୃମଣ୍ଡଳୀଙ୍କ ଉପସ୍ତିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା କେବଳ ୩୦ ପ୍ରତିଶତ ଚାଷୀ ପଞ୍ଜୀକରଣ କରିଥିବାବେଳେ ଆଉ ମାତ୍ର ୮ ଦିନ ମଧ୍ୟରେ କିଭଳି ବରଗଡ ଜିଲ୍ଲାର ଲକ୍ଷାଧିକ ଚାଷୀ ପଂଜିକରଣ କରିପାରିବେ ସେ ନେଇ ସଭାରେ ସମସ୍ତେ ଉଦବେଗ ପ୍ରକାଶ କରିବା ସହ ଚାଷୀଙ୍କ ସହ ଏଭଳି ଖେଳ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ମହଙ୍ଗା ପଡିବ ବୋଲି ନେତାମାନେ ଚେତାବନି ଦେଇଛନ୍ତି । ବୈଠକରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯଙ୍କ ସହ ପୂର୍ବତନ ବିଧାୟିକା ସ୍ନେହାଙ୍ଗୀନ ଛୁରିଆ, ରୀତା ସାହୁ, ଦେବେଶ ଆଚାର୍ଯ, ବିଧାୟିକା ବର୍ଷା ସିଂ ବରିହା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, କଲ୍ପନା ମାଝୀ, ପ୍ରଭାସିନୀ ପଧାନ, ପୁଷ୍ପା ଭୋଇଙ୍କ ସମେତ ଅନ୍ୟାନ୍ୟ ବିଜେଡ଼ି କର୍ମୀମାନେ ଯୋଗ ଦେଇଥିଲେ ।