କାର୍ଯ୍ୟକାରୀ ହେବ ଅତ୍ୟାଧୁନିକ ଟ୍ରାଫିକ୍ ବ୍ୟବସ୍ଥା
ସମ୍ବଲପୁର : ଜନସାଧାରଣଙ୍କ ସୁରକ୍ଷାକୁ ବୃଦ୍ଧି କରିବା ଓ ନିରପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସମ୍ବଲପୁର ମହାନଗର ନିଗମ ଏସ୍ଏମ୍ସି ପକ୍ଷରୁ ଜିଲ୍ଲା ପୁଲିସର ସହଯୋଗିତାରେ ୟୁନିଫାଏଡ୍ କମାଣ୍ଡ ଏବଂ କଣ୍ଟ୍ରୋଲ ପ୍ଲାଟଫର୍ମ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥିରେ ମହାନଗର ଉପରେ ନଜର, ସମନ୍ୱିତ ଟ୍ରାଫିକ୍ ପରିଚାଳନା ଏବଂ ସାଧାରଣ ଘୋଷଣା ବ୍ୟବସ୍ଥା ରହିବ । ପ୍ରାଥମିକ ପର୍ଯ୍ୟାୟରେ ଏଥିପାଇଁ ୪ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଯୋଜନା ଅନୁଯାୟୀ ଦୁଇଟି ପର୍ଯ୍ୟାୟରେ ମହାନଗରର ୫୨ଟି ଗୁରୁତ୍ୱପୂର୍ଣ୍ଣ ଜାଗାରେ ଏଆଇ ପରିଚାଳିତ ୨୦୭ଟି କ୍ୟାମେରା ଲଗାଯିବ । ଏଥିରେ ଆଧୁନିକ କ୍ୟାମେରା, ବୁଲେଟ୍ କ୍ୟାମେରା, ମୁହଁ ଚିହ୍ନଟ କରିପାରୁଥିବା କ୍ୟାମେରା, ପିଟିଜେଡ୍ କ୍ୟାମେରା ଓ ସ୍ୱଦେଶୀ କେଏଲ୍ପିଆର୍ କ୍ୟାମେରା ରହିବ । ଏହି କ୍ୟାମେରାଗୁଡ଼ିକ ସର୍ବସାଧାରଣ ସ୍ଥଳରେ ନଜର ରଖିବା ସହିତ ସହରରେ ସୁରକ୍ଷା ପ୍ରତି ସହାୟକ ହେବ । ଏଥିସହିତ ସୌରଚାଳିତ ସ୍ୱୟଂକ୍ରିୟ ଟ୍ରାଫିକ୍ ସିଗ୍ନାଲ ବ୍ୟବସ୍ଥା ୬ଟି ଜଙ୍କ୍ସନ୍ରେ ସ୍ଥାପନ କରାଯାଇ ଟ୍ରାଫିକ୍କୁ ସୁନିୟନ୍ତ୍ରିତ କରାଯିବ । ଏହା ବ୍ୟତୀତ ଏହା ଦ୍ୱାରା ଟ୍ରାଫିକ୍ ନିୟମ ଉଲ୍ଲଂଘନ ସ୍ଥଳେ ସ୍ୱୟଂ ଚାଳିତ ଇ-ଚାଲାନ୍ର ସୁବିଧା ରହିବ । ଏହି ଭଳି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ତଥା ‘ଏକ ଦେଶ ଏକ ଚାଲାନ' ପଦକ୍ଷେପ ଲାଗୁ କରିବାରେ ସମ୍ବଲପୁର ରାଜ୍ୟର ପଞ୍ଚମ ସହର ହେବ । ୟୁନିଫାଏଡ଼୍ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର (ୟୁସିସି)କୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ସ୍ଥାପନ କରାଯିବ । ଏହା ସଙ୍ଗେ ସଙ୍ଗେ ମହାନଗର ନିଗମ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଉପଗ୍ରହ ମାଧ୍ୟମ ନିୟନ୍ତ୍ରଣ କକ୍ଷ ରହିବ । ଯଦ୍ୱାରା ସମନ୍ୱୟ ଓ ଦକ୍ଷତାର ସହିତ ଧାର୍ଯ୍ୟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ । ଏହା ଦ୍ୱାରା ଏଆଇ-ଚାଳିତ ଏନେଲେଟିକସ୍ ସରାମ ୟୁସିସି ପ୍ଳାଟ୍ଫର୍ମରେ ରହିବ । ଯଦ୍ୱାରା ମହାନଗର ପୁଲିସକୁ ଆଇନ ଶୃଙ୍ଖଳାରେ ବି ସହାୟକ ହେବ । ଆସନ୍ତା ଏପି୍ରଲ୍ ୧ ତାରିଖ ଓଡ଼ିଶା ଦିବସ ଦିନ ଏହି ୟୁସିସି ପ୍ଲାଟଫର୍ମ ଉଦ୍ଘାଟିତ ହେବ ବୋଲି ମହାନଗର ନିଗମ କମିଶନର ବେଦଭୂଷଣ କହିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଇଏଲ୍ଏକ୍ସଏକ୍ସ ଇଣ୍ଡିଆ ମନୋନୀତ ହୋଇଛି । ଏଥିପାଇଁ ଓସିଏସି ଜରିଆରେ ଟେଣ୍ଡର ଆହ୍ୱାନ କରାଯାଇଥିଲା ବୋଲି ଶ୍ରୀ ବେଦଭୂଷଣ କହିଛନ୍ତି । ଗତକାଲି ଏହି ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।