୨୧ରୁ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ
୭୦ରୁ ଦେଶରୁ ଯୋଗଦେବେ ଶହେ ପ୍ରତିନିଧି
ନୂଆଦିଲ୍ଲୀ : ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ବିଷୟରେ ଆୟୋଜିତ ପ୍ରଥମ ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ (ଆଇଆଇସିଡିଇଏମ)–୨୦୨୬ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଏହି ୩ ଦିନିଆ ସମ୍ମିଳନୀ ଭାରତ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସଂସ୍ଥା (ଆଇଆଇଆଇଡିଇଏମ) ଦ୍ୱାରା ୨୧ ରୁ ୨୩ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତଭାରତ ମଣ୍ଡପମ୍ ଠାରେ ଅନୁଷ୍ଠିତ ହେବ ।
ଏହା ଭାରତରେ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଆୟୋଜିତ ସବୁଠୁ ବଡ଼ ଅନ୍ତର୍ଜାତୀୟ ସମ୍ମିଳନୀ ଭାବେ ପରିଚିତ ହେବ । ଏଥିରେ ସାରା ପୃଥିବୀର ୭୦ରୁ ଅଧିକ ଦେଶରୁ ପ୍ରାୟ ୧୦୦ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସହ ଅନ୍ତର୍ଜାତୀୟ ସଂଗଠନ, ଭାରତରେ ଥିବା ବିଦେଶୀ ମିଶନ୍ ଓ ନିର୍ବାଚନ କ୍ଷେତ୍ରର ଶିକ୍ଷାବିତ୍ ଓ ବ୍ୟବହାରିକ ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ । ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର, ନିର୍ବାଚନ ଆୟୁକ୍ତ ଡା.ସୁଖବୀର ସିଂହ ସାନ୍ଧୁ ଓ ଡା.ବିବେକ ଯୋଶୀ ଉଦ୍ଘାଟନୀ ଅଧିବେଶନରେ ପ୍ରତିନିଧିମାନଙ୍କୁ ସ୍ୱାଗତ କରି ସମ୍ମିଳନୀର କାର୍ଯ୍ୟକ୍ରମ ଆରମ୍ଭ କରିବେ ।
ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ନେତୃତ୍ୱରେ ୩୬ଟି ଥିମାଟିକ୍ ଗୋଷ୍ଠୀ ଆଲୋଚନାରେ ଅଂଶଗ୍ରହଣ କରିବେ । ଭାରତ ନିର୍ବାଚନ ଆୟୋଗ ବିଶ୍ୱର ବିଭିନ୍ନ ନିର୍ବାଚନ ପରିଚାଳନା ସଂସ୍ଥା( ଇଏମବି )ସହ ୪୦ରୁ ଅଧିକ ଦ୍ୱିପାକ୍ଷିକ ବୈଠକ କରି ନିର୍ବାଚନ ପରିଚାଳନା ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ସହଯୋଗ ଉପରେ ଆଲୋଚନା କରିବେ । ଏହି ଅବସରରେ ଭାରତ ନିର୍ବାଚନ ଆୟୋଗ ତାଙ୍କର ଏକମାତ୍ର ଡିଜିଟାଲ୍ ପ୍ଲାଟଫର୍ମ ଇସିଆଇନେଟର ଔପଚାରିକ ଶୁଭାରମ୍ଭ ମଧ୍ୟ କରିବେ । ବିଶ୍ୱର ସବୁଠୁ ବଡ଼ ନିର୍ବାଚନ ଲୋକସଭା ୨୦୨୪ର ପରିକଳ୍ପନା ଓ ପ୍ରକ୍ରିୟାକୁ ଉଜାଗର କରୁଥିବା ଡକ୍ୟୁସିରିଜ୍ ‘ଇଣ୍ଡିଆ ଡିସାଇଡ’ ପ୍ରଥମ ଦିନ ପ୍ରଦର୍ଶନୀ ଅନୁଷ୍ଠିତ ହେବ ।
Samir Kumar Rout