୪ ଦିନରେ ପହଁଞ୍ଚିଲା ମିଶନ ଶକ୍ତି ମହିଳାଙ୍କ ଧାରଣା

 ଖଣ୍ଡପଡ଼ା  : ଗତ ୯ମାସ ହେଲା ମିଶନ ଶକ୍ତିର ମହିଳାମାନଙ୍କୁ ପ୍ରାପ୍ୟ ପ୍ରଦାନରେ ପ୍ରଶାସନର ଚରମ ଅବହେଳାକୁ ନେଇ ଅସନ୍ତୋଷ ଦେଖାଦେଇଛି । ସମସ୍ତ ମିଶନ ଶକ୍ତି ସଦସ୍ୟାଙ୍କୁ ତୁରନ୍ତ ବକେୟା ପ୍ରାପ୍ୟ ପ୍ରଦାନ ସହ ଅନ୍ୟାନ୍ୟ ଦାବି ପୁରଣ ନେଇ ଖଣ୍ଡପଡ଼ା ବ୍ଲକ ଅଧିନ ବିଭିନ୍ନ ପଞ୍ଚାୟତରୁ ୨୦୦ରୁ ଉର୍ଦ୍ଧ କାର୍ଯ୍ୟରତ ମିଶନ ଶକ୍ତିର ସଦସ୍ୟାମାନେ ବ୍ଲକ କାର୍ଯ୍ୟାଳୟ ପରିସରରେ ଗତ ସୋମବାର ଠାରୁ ଧାରଣାରେ ବସି ରହି ନାରାବାଜି କରୁଥିବା ବେଳେ ଗୁରୁବାର ଦିନ ତମାମ ମହିଳାମାନେ ଖଣ୍ଡପଡ଼ା ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ବସିରହି ନାରାବାଜି କରିବାସହ ରାଜ୍ୟ ସରକାରଙ୍କୁ ଆକ୍ଷେପ କରି କଟୁ ସମାଲୋଚନା କରିଥିଲେ । ରାଜ୍ୟ ସଂଘର ନିଷ୍ପତ୍ତିକ୍ରମେ ନାର୍ଯ୍ୟ ଦାବି ପୂରଣ ହେବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଆନେ୍ଦାଳନ ଚାଲୁ ରହିବ ବୋଲି ଧାରଣାରତ ମହିଳାମାନେ ପ୍ରକାଶ କରିଛନ୍ତି । ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ଅବରୋଧ କରି ମହିଳାମାନେ ଧାରଣାରେ ବସି ରହିଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ କାର୍ଯ୍ୟଳୟର ୨ୟ ଫାଟକ ଦେଇ ବ୍ଲକ ପରିସରକୁ ଯାତାୟାତ କରୁଥିବା ନଜରକୁ ଆସିଥିଲା ।