ବସ ଚକାତଳେ ଚାଲିଗଲା ୨ ଜୀବନ
2 death

।। ପ୍ରଭାନ୍ୟୁଜ ।। ଝାରସୁଗୁଡା, ୬ା୬ : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଜାତୀୟ ରାଜପଥ ୪୯ର ସିରିଆପାଲିରେ ବସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା କାରଣରୁ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି ।
ମୃତ ଯୁବକ ଦୁଇଜଣଙ୍କ ସଠିକ୍ ପରିଚୟ ମିଳିପାରିନଥିଲେ ମଧ୍ୟ ଦୁଇ ଯୁବକଙ୍କ ନାମ ମନୋଜ ମେହେର ( ୪୫) ଓ ସୁଶାନ୍ତ ମେହେର(୪୦) ବୋଲି ଜଣାପଡ଼ିଛି । ଉଭୟ ଯୁବକ ବୁର୍ଲା ଚିପିଲିମା ଅଞ୍ଚଳର ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଓଡି ୧୪ ଜି ୨୦୨୫ ନମ୍ୱର୍ ବିଶିଷ୍ଟ ଜୟ ମାତା ଦି ନାମକ ଘରୋଇ ବସ୍ଟି କୁଚିଣ୍ଡାରୁ ଝାରସୁଗୁଡାକୁ ଯାଉଥିଲା । ଏହାସହ ଓଆର ୧୫ ଆର ୨୧୯୭ ନମ୍ୱର୍ ବିଶିଷ୍ଟ ବାଇକଟି ଝାରସୁଗୁଡ଼ାରୁ କୋଲାବିରା ଆଡ଼କୁ ଆସୁଥିଲା । ବାଇକ୍ଟି ସିରିଆପାଲିରେ ଏକ ଟ୍ରକକୁ ଓଭର ଟେକ୍ କରୁଥିବା ସମୟରେ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । କୋଲାବିରା ପୁଲିସ ଉଭୟ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନା ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ୍ ବସ ଓ ବାଇକକୁ ଜବତ୍ କରି ଘଟଣାର ତଦନ୍ତ କରୁଛି । ତେବେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି ।