କଳିଙ୍ଗ ଷ୍ଟୁଡିଓର ନବକଳେବର
ପ୍ରାୟ ୨୫ ବର୍ଷ ପରେ ୨୦୦ କୋଟିରୁ ଅଧିକ ଟଙ୍କାରେ ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓର ପୁନଃରୁଦ୍ଧାର ହୋଇଛି । କିନ୍ତୁ କେବେ ଖୋଲା ହେବ ଓ ଏଠାରେ ସିନେମା ସୁଟିଂ କରିବାକୁ ଅନୁମତି ମିଳିବ, ଏଥିପାଇଁ ସିନେଶିଳ୍ପ ଚାହିଁ ବସିଥିଲେ ବି ଉଚିତ୍ ଉତ୍ତର କାହା ପାଖରେ ନାହିଁ । ଫିଲ୍ମ ନିର୍ମାତା ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ।
କଳିଙ୍ଗ ଷ୍ଟୁଡିଓ ଦୀର୍ଘଦିନ ଧରି ଭଙ୍ଗାରୁଜା ଅବସ୍ଥାରେ ପଡ଼ିରହିବା ପରେ ପୁନଃରୁଦ୍ଧାର ପାଇଁ ୨୦୨୧ ମାର୍ଚ୍ଚ ୨୫ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨୦୦ କୋଟିରୁ ଅଧିକ ଟଙ୍କାରେ ଏହା ନୂଆରୂପ ପାଇଛି । ପ୍ରସ୍ତୁତ ହୋଇଛି ରେଳ ପ୍ଲାଟଫର୍ମ, ସ୍ନୋ ୱାର୍ଲଡ, ପାର୍କ, ବିବାହ ମଣ୍ଡପ, କର୍ପୋରେଟ୍ ଅଫିସ, ରାଜ ଉଆସ ଓ ଗ୍ରାମ୍ୟ ଜୀବନ ଭଳି ଦୃଶ୍ୟ । ପୁନଃରୁଦ୍ଧାର ପରେ କଳିଙ୍ଗ ଷ୍ଟୁଡିଓ ଉଦଘାଟନ ଅପେକ୍ଷାରେ ରହିଛି । ଉଦଘାଟନ ପାଇଁ ଏପର୍ଯ୍ୟନ୍ତ ଦିନ ଧାର୍ଯ୍ୟ ହୋଇପାରୁନାହିଁ । ପୂର୍ବ ସରକାରଙ୍କ ପ୍ରତିଶ୍ରୁତି ଥିଲା, କଳିଙ୍ଗ ଷ୍ଟୁଡିଓ 'ଷ୍ଟେଟ୍ ଅଫ୍ ଦି ଆର୍ଟ’ ସିନେମା ଷ୍ଟୁଡିଓ ଭାବେ ପରିଗଣିତ ହେବ । ସୁନ୍ଦର ଦୃଶ୍ୟ ସବୁ ଥିଲେ ବି ଫିଲ୍ମ ନିର୍ମାଣ ପାଇଁ କଳିଙ୍ଗ ଷ୍ଟୁଡିଓରେ ଯଥେଷ୍ଟ ବ୍ୟବସ୍ଥା ନାହିଁ । ଲାଇଟ, କ୍ୟାମେରା ଆଦି ପାଇଁ ଠିକ୍ ଜାଗା ନାହିଁ । ସବୁଠାରୁ ବିଡ଼ମ୍ବନାର କଥା, ପୂର୍ବ ସରକାର ଯାଇ ନୂଆ ସରକାର ଆସିଲାଣି କିନ୍ତୁ କଳିଙ୍ଗ ଷ୍ଟୁଡିଓ ଉଦ୍ଘାଟନ ହୋଇପାରିଲାନି । ସିନେ ନିର୍ମାତାଙ୍କ ସ୍ୱପ୍ନ ବାଜିରେ ଲାଗିଛି । ଠିକାସଂସ୍ଥାଠାରୁ ଓଏଫଡିସି ଏପର୍ଯ୍ୟନ୍ତ ଚାବି ନେଉନାହିଁ କାହିଁକି ? ସିନେ ନିର୍ମାତା କୋଟିକୋଟି ଟଙ୍କା ଖର୍ଚ୍ଚ କରି ବାହାରେ ସିନେମା ନିର୍ମାଣ କରୁଛନ୍ତି । ନା ସିନେନୀତି ଆସୁଛି ନା କୌଣସି ସବସିଡି ମିଳୁଛି ! ଶୀଘ୍ର କଳିଙ୍ଗ ଷ୍ଟୁଡିଓ ଖୋଲିଲେ ପ୍ରଯୋଜକଙ୍କ ସମୟ ଓ ପଇସା ବଞ୍ଚି ଯାଆନ୍ତା ।