ଆପର ସମରସଜା : ନୂଆ ସଦସ୍ୟଙ୍କୁ ଟିକଟ

 ନୂଆଦିଲ୍ଲୀ: ଚଳଚଞ୍ଚଳ ଦିଲ୍ଲୀ ରାଜନୀତି । ଦିଲ୍ଲୀ ଅଙ୍କକୁ ନେଇ ସବୁ ଦଳ ନିଜ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । କେଉଁ ନିର୍ବାଚନମଣ୍ଡଳୀରୁ କିଏ ଲଢ଼ିବ ତାହାକୁ ନେଇ ଦଳ ମଧ୍ୟରେ ଚାଲିଛି ଅଙ୍କକଷା । କିନ୍ତୁ ସେପଟେ ଆମ୍ ଆଦମୀ ପାର୍ଟି (ଆପ୍) ପ୍ରଥମ ତାଲିକା ପରେ ସୋମବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଶାସକ ଆମ ଆଦମୀ ପାର୍ଟି ଦିଲ୍ଲୀ ବିଧାନସଭାକୁ ନିଜ କବ୍ଜାକୁ ନେବା ପାଇଁ ଆରମ୍ଭ କଲାଣି ରଣନୀତି । ଚର୍ଚ୍ଚିତ ଚେହେରାକୁ ନିଜ ଦଳରେ ସାମିଲ କରିବା ସହ ତାଙ୍କୁ ଲଢ଼ିବା ପାଇଁ ଟିକେଟ ମଧ୍ୟ ଦେଇଛି । ଏଇ କିଛିଦିନ ତଳେ ଆପ୍ରେ ସାମିଲ ହୋଇଥିବା ବିଶିଷ୍ଟ ଶିକ୍ଷକ ଅଭଦ ଓଝାଙ୍କୁ ପାଟପଡ଼ଗଞ୍ଜରୁ ଲଢ଼ିବା ପାଇଁ ଟିକଟ ଦେଇଛି । ସେହିପରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜଙ୍ଗପୁରାରୁ ଲଢ଼ିବାକୁ ଟିକଟ ଦିଆଯାଇଛି । ସୂଚନାଯୋଗ୍ୟ ସିସୋଦିଆ କ୍ରମାଗତ ତିନିଥର ପାଟପଡ଼ଗଞ୍ଜ ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଗତ ନିର୍ବାଚନରେ ସେ ବହୁତ କମ୍ ହାରରେ ଭୋଟ୍ ପାଇଥିବାରୁ ଏଥର ନୂତନ ଭାବେ ଅଭଦଙ୍କୁ ଦଳ ଏ ଆସନରୁ ପରୀକ୍ଷାମୂଳକ ଭାବେ ଟିକେଟ ଦେଇଛି ।
ତେବେ ଆପ୍ ଜାରି କରିଥିବା ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ୨୦ ଜଣଙ୍କ ନାଁ ସାମିଲ ଥିବା ବେଳେ ନରେଲାରୁ ଦିନେଶ ଭରଦ୍ୱାଜଙ୍କୁ, ତିମାରପୁରରୁ ସୁରେନ୍ଦ୍ର ପାଲ ସିଂହ ବିଟ୍ଟୁ, ଆଦର୍ଶ ନାଗରରୁ ମୁକେଶ ଗୋୟଲ, ମୁଣ୍ଡକାରୁ ଜସବୀର କର୍ଲା, ମଙ୍ଗୋଲପୁରୀରୁ ରାକେଶ ଜାଟବ ଧର୍ମରକ୍ଷ, ରୋହିଣୀରୁ ପ୍ରଦୀପ ମିତ୍ତଲ ପ୍ରମୁଖଙ୍କୁ ଟିକେଟ୍ ଦେଇଛି ।