‘ଅଜିତ୍ ଦାଦା ଅମର ରହେ’
ମୁମ୍ବାଇ : ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷକୃତ୍ୟ ଗୁରୁବାର ଦିନ ବାରାମତିରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହିତ ଅନୁଷ୍ଠିତ ହୋଇଛି । ଅଜିତ ପାୱାରଙ୍କ ପୁଅ ପାର୍ଥ ଓ ଜୟ ମୁଖାଗ୍ନି ଦେଇଥିଲେ । କେନ୍ଦ୍ରୀୟ ମନ୍ତ୍ରୀ ଅମିତ ଶାହ, ନୀତୀନ ଗଡ଼କରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାର ଓ ବିଜେପି ସଭାପତି ନିତିନ ନବୀନ ମହାରାଷ୍ଟ୍ରର ବାରାମତିରେ ବିଦ୍ୟା ପ୍ରତିଷ୍ଠାନ ପଡ଼ିଆରେ ଏନସିପି ମୁଖ୍ୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ । ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରଙ୍କ ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଅଜିତ ପାୱାରଙ୍କ ସମ୍ପର୍କୀୟ ଭଉଣୀ ବାରାମତିରୁ ଲୋକସଭା ସଦସ୍ୟ ସୁପ୍ରିୟା ସୁଲେ ଓ ଏନସିପି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ ପଟେଲ ମଧ୍ୟ ଉପସ୍ଥିତ ଥିଲେ । ପୂର୍ବରୁ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅଜିତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପାୱାର ବାସଭବନରେ ଶହ ଶହ ସମର୍ଥକ ଏକତ୍ରିତ ହୋଇଥିଲେ । ଏନସିପି କର୍ମୀମାନଙ୍କ ସହିତ ସ୍ଥାନୀୟ ବାସିନ୍ଦା ଫାଟକ ପାଖରେ ତାଙ୍କ ସ୍ମୃତିରେ ସ୍ଲୋଗାନ ଦେଇଥିଲେ । ସମର୍ଥକମାନେ "ଅଜିତ ଦାଦା ଅମର ରହେ’ ଓ "ଅଜିତ ଦାଦା ପରତ ଯା’ (ଅଜିତ ଦାଦା ଦୀର୍ଘଜୀବୀ ହୁଅ; ଅଜିତ ଦାଦା, ଫେରି ଆସନ୍ତୁ) ଭଳି ସ୍ଲୋଗାନ ଦେଇଥିଲେ, ଯାହା ତାଙ୍କ ରାଜନୈତିକ ଗଡ଼ରେ ପ୍ରତିଧ୍ୱନିତ ହୋଇଥିଲା ।