ବିଜେଡ଼ିକୁ ଯିବେ ଅପରାଜିତା!

Aparajita Sarangi , Odisha BJP

ବିଜେଡ଼ିକୁ ଯିବେ ଅପରାଜିତା!

ଏବେ ରାଜନୀତିକ ଅଳିନ୍ଦରେ ଗୋଟିଏ ଚର୍ଚ୍ଚା  । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜୁ ଜନତା ଦଳରେ ଯୋଗଦେବେ  । ସୋସିଆଲ ମିଡ଼ିଆରେ ଏହା ଭାଇରାଲ୍‌ ହେବାରେ ଲାଗିଛି  । ଖାଲି ଅପରାଜିତା ନୁହଁନ୍ତି, ତାଙ୍କ ସହ ଦଶ ବାର ବିଧାୟକ ମଧ୍ୟ ବିଜେଡ଼ି ଯିବେବୋଲି ଚର୍ଚ୍ଚା ହେଉଛି  । କିନ୍ତୁ ବାସ୍ତବରେ ବିଜେଡ଼ି ସୋସିଆଲ ମିଡ଼ିଆ ଫ୍ୟାକ୍ଟରିରୁ ଏଭଳି ଏକ ଗୁଜବ ଖେଳାଯାଉଛି  । ସମ୍ପ୍ରତି ରାଜ୍ୟ ବିଜେପିରେ ଅପରାଜିତା ଷଡ଼ଙ୍ଗୀ କୋଣଠେସା ହୋଇଯାଇଛନ୍ତି  । ବଡ଼ ଆଶା ରଖିଥିବା ଅପରାଜିତା ଏବେ ନିଜ ଖୋଳିଥିବା ଗାତରେ ହିଁ ପଡ଼ିଯାଇଛନ୍ତି  । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ଅପରାଜିତା ନିଜକୁ ବିଜେପିର ସବୁଠାରୁ ଲୋକପ୍ରିୟ ନେତ୍ରୀ ବୋଲି ଭାବୁଥିଲେ  । ରାଜ୍ୟ ବିଜେପି ନେତା ହୁଅନ୍ତୁ କି କେନ୍ଦ୍ରମନ୍ତ୍ରୀ, କାହାକୁ ସେ ଖାତିର କରୁନଥିଲେ  । ନିଜର ଏକ ଯୁବ ଓ ମହିଳା ବାହିନୀ ଗଢ଼ି ସାରା ରାଜ୍ୟରେ ନିଜର ଲୋକପ୍ରିୟତା ବଢ଼ାଉଥିଲେ  । ଅପରାଜିତାଙ୍କ ସମର୍ଥକମାନେ ତାଙ୍କୁ ହିଁ ଭବିଷ୍ୟତର ମୁଖ୍ୟମନ୍ତ୍ରୀ ବୋଲି କହି ବୁଲୁଥିଲେ  । କିନ୍ତୁ ୨୦୨୪ ପରେ ଅପରାଜିତାଙ୍କ କାଟତି କମିଯାଇଛି  । ଅପରାଜିତାଙ୍କ ସମର୍ଥକଙ୍କ ଉପରେ ବି ବିଜେପି ଆକ୍ସନ ନେଉଛି  । ଏହି ମଉକାରେ ବିଜେଡ଼ି ଏଭଳି ଗୁଜୁବ ରଚି ବିଜେପିରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି  । କାହିଁକିନା ଏଭଳି ଗୁଜବ ପଛରେ କୌଣସି ଲଜିକ୍‌ ହିଁ ନାହିଁ  । ସେହିପରି ଗଲା ନିର୍ବାଚନରେ ଅପରାଜିତା ଯେତିକି ବିଧାୟକଙ୍କୁ ଟିକେଟ ଦେଇଥିଲେ ସେମାନଙ୍କ ମଧ୍ୟରୁ ଜଣେ ମାତ୍ର ଜିତିଛନ୍ତି  । ସେ ହେଉଛନ୍ତି ପ୍ରଶାନ୍ତ ଜଗଦ୍ଦେବ  । ଅତଏବ ଅତିବେଶୀରେ ଅପରାଜିତାଙ୍କ ହାତରେ ଜଣେ ହିଁ ବିଧାୟକ ଅଛନ୍ତି ବୋଲି କୁହାଯାଇପାରିବ  । ସେହିପରି ଗଣେଶଙ୍କୁ ବିଜେଡ଼ି ହଇରାଣ କରିଥିବାରୁ ସେ ଯିବାର ପ୍ରଶ୍ନ ହିଁ ଉଠୁନାହିଁ  । ବିଜେଡ଼ି ଅଫିସକୁ କୁଆଡେ଼ ଗଣେଶ, ଆକାଶ ଦାସ ନାୟକ ଓ ସନ୍ତୋଷ ଖଟୁଆ ଯାଇଥିଲେ ବୋଲି ଚର୍ଚ୍ଚା ହେଉଛି  । ଏହି ଖବରଟି ବି ସମ୍ପୂର୍ଣ୍ଣ ମିଛ  । ବବି ଦାସ ଓ ଆକାଶଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ  । ବିଜେଡ଼ିରେ ଥିବାବେଳେ ସେ ବବିଙ୍କ କଥାରେ ଉଠବସ ହେଉଥିଲେ  । ଏବେ କିନ୍ତୁ ମୁକ୍ତି ମିଳିଯାଇଛି  । ବିଜେଡ଼ିର ଏଭଳି ମିଛ ଖବର ଦ୍ୱାରା ସେଭଳି କିଛି ଲାଭ ହେବନାହିଁ ବୋଲି ରାଜନୀତିକ ବିଶ୍ଲେଷକମାନେ ମତପୋଷଣ କରୁଛନ୍ତି  ।