ରାଜଧାନୀର ନାମୀଦାମୀ ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସ୍କୁଲଗୁଡ଼ିକୁ ବୋମା ଧମକ ମଳିଛି। ଏଠାକାର ନାମୀଦାମୀ ୪ ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଥିବାରୁ ଦିଲ୍ଲୀରେ ଉତ୍ତେଜନା ସୃଷ୍ଟି କରିଛି। ବୁଧବାର ସକାଳେ ଦ୍ୱାରକା, ବସନ୍ତ କୁଞ୍ଜ, ପଶ୍ଚିମ ବିହାର ଏବଂ ହୌଜ ଖାସ ଅଞ୍ଚଳର ୪ଟି ପ୍ରତିଷ୍ଠିତ ସ୍କୁଲକୁ ମେଲ୍‌ ମାଧ୍ୟମରେ ବୋମା ସମ୍ପର୍କରେ ସୂଚନା ଦିଆଯାଇଥିଲା, ଯାହା ପରେ ଦିଲ୍ଲୀ ପୋଲିସ ଏବଂ ଜରୁରୀକାଳୀନ ଦଳଗୁଡ଼ିକ କାର୍ଯ୍ୟରେ ଲାଗିପଡ଼ିଥିଲେ। ସକାଳ ୫.୨୨ରେ ଦ୍ୱାରକାର ସେଣ୍ଟ ଥମାସ ସ୍କୁଲକୁ ଏକ ଧମକପୂର୍ଣ୍ଣ ଇମେଲ ମିଳିଥିଲା। ଏହା ପରେ ବସନ୍ତ କୁଞ୍ଜର ବସନ୍ତ ଭ୍ୟାଲି ସ୍କୁଲ, ପଶ୍ଚିମ ବିହାରର ରିଚମଣ୍ଡ ଗ୍ଲୋବାଲ ସ୍କୁଲ ଏବଂ ହୌଜ ଖାସ୍‌ର ମଦର ଇଣ୍ଟରନ୍ୟାଶନାଲ ସ୍କୁଲକୁ ମଧ୍ୟ ସମାନ ମେଲ ମିଳିଥିଲା। ସମସ୍ତ ମେଲ୍‌ରେ ବୋମା ବିସ୍ଫୋରଣ ହେବାର ଚେତାବନୀ ଦିଆଯାଇଥିଲା। ମେଲ୍‌ ପାଇବା ମାତ୍ରେ ସ୍କୁଲ ପ୍ରଶାସନ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲା।

ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୋଲିସ, ଡଗ୍‌ ସ୍କ୍ବାଡ୍‌, ବୋମା ନିଷ୍କ୍ରିୟ ୟୁନିଟ୍‌ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଦଳ ଏହି ସମସ୍ତ ସ୍କୁଲ ପରିସରରେ ପହଞ୍ଚିଥିଲେ। ସକାଳ ୫:୩୦ରୁ ସକାଳ ୮:୩୦ ପର୍ଯ୍ୟନ୍ତ, ଅଗ୍ନିଶମ ବିଭାଗକୁ ବିଭିନ୍ନ ସମୟରେ ଚାରୋଟି ସ୍କୁଲରୁ ଫୋନ ଆସିଥିଲା। ସୁରକ୍ଷା ସଂସ୍ଥାଗୁଡ଼ିକ ଏହି ସ୍କୁଲ ପରିସରଗୁଡ଼ିକୁ ଖାଲି କରି ଯାଞ୍ଚ କରିଥିଲେ। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ତଦନ୍ତରେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ସନ୍ଦିଗ୍ଧ ପଦାର୍ଥ କିମ୍ବା ବୋମା ମିଳିନାହିଁ। ତଥାପି ସତର୍କତା ସ୍ବରୂପ, ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ଫରେନ୍‌ସିକ ଦଳ ମଧ୍ୟ ତଦନ୍ତରେ ନିୟୋଜିତ ହୋଇଛନ୍ତି। ପୋଲିସ ଏହି ମେଲର ଉତ୍ସକୁ ଖୋଜିବାକୁ ଚେଷ୍ଟା କରୁଛି ଏବଂ ସାଇବର ସେଲ୍‌ ମଧ୍ୟ ସକ୍ରିୟ ହୋଇଛି।

ପ୍ରକାଶ ଥାଉକି, ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ଅନେକ ଥର ରାଜଧାନୀର ସ୍କୁଲଗୁଡ଼ିକୁ ବୋମା ଧମକ ମିଳିସାରିଛି। ଯେଉଁଥିରେ ପରେ କିଚି ଅଘଟଣ ଘଟିନାହିଁ। ତଥାପି ଏପରି ଧମକ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମହଲରେ ଭୟର ବାତାବରଣ ସୃଷ୍ଟି କରୁଛି। ବର୍ତ୍ତମାନ ପୋଲିସ ସମସ୍ତଙ୍କୁ ଭୟଭୀତ ନ ହେବାକୁ ନିବେଦନ କରିଛି, ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ସମସ୍ତ ସୁରକ୍ଷା ମାନଦଣ୍ଡ ପାଳନ କରାଯାଉଛି। ଅଧିକାରୀମାନେ କହିଛନ୍ତି, ଧମକ ପଠାଇଥିବା ଲୋକଙ୍କୁ ଶୀଘ୍ର ଚିହ୍ନଟ କରାଯିବ ଏବଂ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।